ଆଜିଠୁ ଜମିବ ପିପିଲି ଉପ-ନିର୍ବାଚନ ପାଇଁ ପ୍ରଚାର, ଘରଘର ବୁଲି ଭୋଟ ମାଗିବେ କର୍ମୀ

ପୁରୀ,ଏନ୍ଏନ୍ଏସ୍: ଆଜିଠୁ ଜମିବ ପିପିଲି ଉପ-ନିର୍ବାଚନ ପାଇଁ ପ୍ରଚାର। ଘରଘର ବୁଲି ପ୍ରଚାର କରିବେ କର୍ମୀ। ବାରମ୍ବାର କରୋନା ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ବିୟୋଗ ପରେ ବିଳମ୍ବିତ ହୋଇଥିବା ନିର୍ବାଚନ ଏଥର ପିପିଲି ବାସୀଙ୍କୁ ସେମାନଙ୍କୁ ନୂଆ ବିଧାୟକ ଆଣିଦେବ ବୋଲି ଆଶା। ଆଜିଠୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। ଆସନ୍ତା ୨୮ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଚାର ହୋଇପାରିବ ବୋଲି ପୂର୍ବରୁ ରାଜ୍ୟ ନିର୍ବାଚନ କମିସନ ପକ୍ଷରୁ ସୂଚନା ମିଳିସାରିଛି।

୩୦ ତାରିଖରେ ଭୋଟ ଗ୍ରହଣ ପ୍ରଚାର ଲାଗି ହାତରେ ମାତ୍ର ୭ ଦିନ ସମୟ ଥିବାରୁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ କର୍ମୀ ବୈଠକ ସହ ବିଭିନ୍ନ ରଣକୌଶଳ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ପାଇଁ ଷ୍ଟାର ପ୍ରଚାରକମାନେ ଏବେ ମଇଦାନକୁ ଓହ୍ଲାଇବେ। ରୋଡ୍ ଶୋ, ଶୋଭାଯାତ୍ରା ଓ ବାଇକ୍ ଶୋଭାଯାତ୍ରା ଉପରେ କଟକଣା ଥିବାରୁ ପ୍ରାର୍ଥୀମାନେ ୫ ଜଣଙ୍କୁ ନେଇ ଘର ଘର ବୁଲି ପ୍ରଚାର ଏବଂ କର୍ମୀ ସଭା ଉପରେ ଗୁରୁତ୍ଵ ଦେବେ। ବିଜେଡି ପକ୍ଷରୁ ରୁଦ୍ରପ୍ରତାପ ମହାରଥୀ, ଭାଜପା ପକ୍ଷରୁ ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି।