ପ୍ରାର୍ଥୀ ହେବାପରେ ପ୍ରଥମ ପ୍ରିତିକ୍ରିୟାରେ ଏମିତି କହିଲେ ରୁଦ୍ର

ଭୁବନେଶ୍ୱର, ଏନ୍ଏନ୍ଏସ୍: ପିପିଲି ଉପ ନିର୍ବାଚନ ଲାଗି ବିଜେଡି ଦଳୀୟ ପ୍ରାର୍ଥୀ ଭାବେ ଦିବଗଂତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ନାମ ଘୋଷଣା କରିଛି। ମାଆ ପୁଅଙ୍କ ମଧ୍ୟରୁ କାହାକୁ ଟିକଟ ମିଳିବ ନେଇ ଯେଉଁ ଦ୍ୱନ୍ଦ ଥିଲା ତାହା ଆଜି ଦୂର ହୋଇଯାଇଛି। ରୁଦ୍ରଙ୍କ ଉପରେ ବିଜୁ ଜନତା ଦଳ ଆସ୍ଥା ପ୍ରକଟ କରି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୁଦ୍ରଙ୍କ ନାମ ଆଜି ଘୋଷଣା କରିଛନ୍ତି। ଏହାପରେ ରୁଦ୍ର ଗଣମାଧ୍ୟମ ନିକଟରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ଉପରେ ଭରସା କରିଥିବାରୁ ତାଙ୍କୁ ଧନ୍ୟବାଦ। ଏବେ ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବି। ପିପିଲି ଓ ଡେଲାଙ୍ଗବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବି। ଆଶା କରୁଛି ପିପିଲି ଓ ଡେଲାଙ୍ଗବାସୀ ମୋତେ ସହଯୋଗ କରିବେ। ସେ ଆହୁରି କହିଛନ୍ତି, ମୁଁ ଟିକଟ୍ ପାଇବା ଯାହା ମୋ ମାଆ ପାଇବା ସେୟା। ମାଙ୍କ ଆଶୀର୍ବାଦ ସର୍ବଦା ମୋ ପାଖରେ ଅଛି । ସୂଚନଯୋଗ୍ୟ, ବିଜେପି ଗତକାଲି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ଗତ ୨୦୧୯ ନିର୍ବାଚନରେ ସ୍ୱର୍ଗତଃ ପ୍ରଦୀପ ମହାରଥୀ ଏବଂ ଆଶ୍ରିତଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା। ଏଥର ମହାରଥୀଙ୍କ ପୁତ୍ର ରୁଦ୍ର ଏବଂ ଆଶ୍ରିତଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବାର ଆଶା କରାଯାଉଛି।

୨୦୧୯ ନିର୍ବାଚନରେ ଏହି ଆସନରେ ଶାସକ ବିଜେଡ଼ି ଏବଂ ବିଜେପି ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ମହାରଥୀଙ୍କୁ ୮୮, ୫୧୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୧, ୭୩୧ ଭୋଟ୍ ମିଳିଥିଲା। କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କୁ ମାତ୍ର ୯,୮୩୦ ଭୋଟ୍ ମିଳିଥିଲା। ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ ମହାରଥୀ ବିଜୟ ହାସଲ କରିଥିଲେ।