ବେଙ୍ଗାଲୁରୁ,ଏଜେନ୍ସି: ଶନିବାରଠାରୁ ଏଠାରେ ଚଳିତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ୍ ସିରିଜ୍ର ଦିବାରାତ୍ର ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ବୋଲରଙ୍କ ଦବ୍ଦବା ପରିଲକ୍ଷିତ ହୋଇଛି। ଫଳସ୍ୱରୂପ ଦିନକ ଭିତରେ ୧୬ଟି ୱିକେଟ୍ର ପତନ ଘଟିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୫୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିବା ବେଳେ ଶ୍ରୀଲଙ୍କା ଦିନର ଖେଳ ଶେଷ ସୁଦ୍ଧା ୬ ୱିକେଟ୍ ବିନିମୟରେ ୮୬ ରନ୍ କରିଛି। ଉଜ୍ଜ୍ୱଳ ଆଲୋକରେ ଭାରତର ଦୁଇ ପେସର୍ ଜସପ୍ରୀତ୍ ବୁମରା ଓ ମହମ୍ମଦ ଶମି ଶ୍ରୀଲଙ୍କାର ୫ଟି ୱିକେଟ୍ ବାଣ୍ଟିନେବା ଫଳରେ ଭ୍ରମଣକାରୀ ଦଳ ବିପଦରେ ପଡ଼ିଛି।
ଅନ୍ୟପକ୍ଷରେ ସିରିଜ୍ରେ ୧-୦ରେ ଅଗ୍ରଣୀ ଥିବା ଭାରତକୁ ବିପର୍ଯ୍ୟସ୍ତ ସ୍ଥିତିରୁ ଉଦ୍ଧାର କରି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ। ଦିନକ ଖେଳ ଶେଷ ବେଳକୁ ଶ୍ରୀଲଙ୍କା ପକ୍ଷରୁ ନିରୋଶନ୍ ଡିକୱେଲା ୧୩ ଓ ଲାସିଥ୍ ଏମ୍ବୁଲଦେନିୟା ଶୂନରେ ଅପରାଜିତ ଅଛନ୍ତି।
ଭାରତ ତା’ର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା (୧୫ ରନ୍, ୧ ଚୌକା, ୧ ଛକା) ଓ ମୟଙ୍କ ଅଗରୱାଲ୍ (୪)ଙ୍କୁ ୨୯ ରନ୍ ମଧ୍ୟରେ ହରାଇଥିଲେ ହେଁ ତୃତୀୟ ୱିକେଟ୍ରେ ବିରାଟ କୋହଲି ଓ ହନୁମା ବିହାରୀ ୪୭ ରନ୍ର ଭାଗୀଦାରୀ କରିଥିଲେ। ତେବେ ମାତ୍ର ୧୦ ରନ୍ ବ୍ୟବଧାନରେ ପ୍ରଥମେ ବିହାରୀ (୩୧ ରନ୍, ୪ ଚୌକା) ଓ ପରେ କୋହଲି (୨୩ ରନ୍, ୨ ଚୌକା) ବିଦାୟ ନେଇଥିଲେ। ଏହି ସମୟରେ ଆକ୍ରମଣାତ୍ମକ ବ୍ୟାଟିଂ କରି ଋଷଭ ପନ୍ତ୍ ବ୍ୟକ୍ତିଗତ ଭାବେ ୭ଟି ଚୌକା ମାଧ୍ୟମରେ ୩୯ ରନ୍ କରିବା ସହ ପଞ୍ଚମ ୱିକେଟ୍ରେ ଆୟର୍ଙ୍କ ସାଥୀରେ ୪୦ ରନ୍ ଯୋଡ଼ିଥିଲେ।
ପନ୍ତ୍ଙ୍କ ପରେ ପରେ ଗତ ମ୍ୟାଚ୍ର ଶତକଧାରୀ ରବୀନ୍ଦ୍ର ଜାଡେଜା ୪ ରନ୍ କରି ଆଉଟ୍ ହୋଇଥିଲେ। ଏହି ସମୟରେ ଆୟର୍ ସାଥୀ ବ୍ୟାଟ୍ସମ୍ୟାନ୍ ରବିଚନ୍ଦ୍ରନ୍ ଅଶ୍ୱିନ୍ (୧୩ ରନ୍, ୧ ଚୌକା)ଙ୍କ ସହ ୨୫ ରନ୍, ଅଷ୍ଟମ ୱିକେଟ୍ରେ ଅକ୍ଷର ପଟେଲ୍ (୯ ରନ୍, ୧ ଛକା)ଙ୍କ ସହ ୩୨ ରନ୍ ଯୋଡ଼ିଥିଲେ। ଏହାଛଡ଼ା ଆୟର୍ ୧୦ଟି ଚୌକା ଓ ୪ଟି ଛକା ସହ ୯୨ ରନ୍ କରିଥିବା ସମୟରେ ଶେଷ ୱିକେଟ୍ ଭାବେ ଆଉଟ୍ ହୋଇଥିଲେ। ଶମି ୫ ରନ୍ କରିଥିବା ବେଳେ ବୁମ୍ରା ୧୦ଟି ବଲ୍ ଖେଳିଥିଲେ ମଧ୍ୟ ଖାତା ନ ଖୋଲି ଅପରାଜିତ ଥିଲେ। ଶ୍ରୀଲଙ୍କା ପକ୍ଷରୁ ଏମ୍ବୁଲଦେନିୟା ଓ ପ୍ରବୀଣ ଜୟବିକ୍ରମା ୩ଟି ଲେଖାଏଁ ଏବଂ ଧନଞ୍ଜୟ ଡି’ସିଲ୍ଭା ୨ଟି ୱିକେଟ୍ ନେଇଥିଲେ।
ଜବାବରେ ଶ୍ରୀଲଙ୍କା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୨୮ ରନ୍ ମଧ୍ୟରେ ୪ ଜଣ ବ୍ୟାଟ୍ସମ୍ୟାନ୍ଙ୍କୁ ହରାଇଥିଲା। ଦୁଇ ଓପନର କୁସାଲ୍ ମେଣ୍ଡିସ୍ ଓ ଅଧିନାୟକ ଦିମୁଥ୍ କରୁଣାରତ୍ନେ ଯଥାକ୍ରମେ ୨ ଓ ୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଲାହିରୁ ଥିରିମାନେ ୮ ଓ ଧନଞ୍ଜୟ ୧୦ ରନ୍ କରି ବିଦାୟ ନେଇଥିଲେ। ପଞ୍ଚମ ୱିକେଟ୍ରେ ଆଞ୍ଜେଲୋ ମାଥ୍ୟୁସ୍ ଯୋଡ଼ିଦାର ଚରିତ ଅସଲଙ୍କା (୫)ଙ୍କ ସହ ୨୨ ଓ ପଞ୍ଚମ ୱିକେଟ୍ରେ ଡିକୱେଲାଙ୍କ ସହ ୩୫ ରନ୍ ଯୋଡ଼ି ସ୍ଥିତିକୁ ସାମାନ୍ୟ ସୁଧାରିଥିଲେ। କିନ୍ତୁ ଶେଷ ଭାଗରେ ତାଙ୍କୁ ବୁମ୍ରା ଆଉଟ୍ କରି ଶ୍ରୀଲଙ୍କାକୁ ଆଉ ଏକ ଜବରଦସ୍ତ ଝଟକା ଦେଇଥିଲେ। ମାଥ୍ୟୁସ୍ ୩ଟି ଚୌକା ଓ ୨ଟି ଛକା ସହ ୪୩ ରନ୍ କରିଥିଲେ। ଭାରତ ପକ୍ଷରୁ ବୁମ୍ରା ୩ଟି, ଶମି ୨ଟି ଓ ଅକ୍ଷର ଅନ୍ୟ ୱିକେଟ୍ଟି ନେଇଛନ୍ତି।