ସିଙ୍ଗାରୀ ଘାଟିରେ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ, ୨ମୃତ ଓ ୧୦ ଆହତ

ଭବାନୀପାଟଣା/ଥୁଆମୂଳ ରାମପୁର,ଏନ୍‌ଏନ୍‌ଏସ୍‌: ଥୁଆମୂଳ ରାମପୁର-କଲମପୁର ମୁଖ୍ୟ ରାସ୍ତାର ସିଙ୍ଗାରୀ ଘାଟି ମଧ୍ୟରେ ଏକ ପିକଅପ୍ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଆହତ ହୋଇଛନ୍ତି । ମୃତକ ଦ୍ୱୟ ହେଲେ ଲାଲୁ ମାଝୀ ଓ ଢଙ୍ଗର ମାଝୀ । ଅନ୍ୟପଟେ ୫ଜଣ ଗୁରୁତର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ମିଳିଥିବା ରିପୋର୍ଟ ମୁତାବକ, ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ସିନ୍ଧିପଦର ଗ୍ରାମପଞ୍ଚାୟତ ଅନ୍ତର୍ଗତ ବାର୍ଷିକୋଣା ଓ ମୁଣ୍ଡିଚୁଆର ହିତାଧିକାରୀମାନେ ପ୍ରତି ମାସ ଭଳି ଚଳିତ ମାସର ପିଡିଏସ ଋଣ ଆଣିବା ପାଇଁ ଦାସିଗାଁର ଏକ ପିକଅପ ଗାଡ଼ି ସହ ଯୋଗାଯୋଗ କରିଥିଲେ । ଆଜି ସକାଳେ ଗ୍ରାମର ପ୍ରାୟ ୫୦ଜଣ ହିତାଧିକାରୀଙ୍କ ଚାଉଳ ବୋଝେଇ କରି ପିକଅପ୍ ଭ୍ୟାନ୍ ଲାଲୁ ମାଝୀ, ଡଙ୍ଗର ମାଝୀ, ଦଶରୁ ମାଝୀ, ତପସ୍ୱିନୀ ମାଝୀ, ଶୋଭା ମାଝୀ, ସାନୁ ମାଝୀ, ଜାନକୀ ମାଝୀ, ରୁପା ମାଝୀ ୧ ଓ ରୁପା ମାଝୀ ୨, କୁନି ମାଝୀ ଓ ମହେନ୍ଦ୍ର ମାଝୀ ପ୍ରମୁଖ ସିଙ୍ଗାରୀ ଘାଟି ଦେଇ ଫେରୁଥିଲେ । ଏହି ସମୟରେ ଘାଟିର ଶେଷ ମୁଣ୍ଡରେ ଥିବା ଏକ ମୋଡ଼ାଣିରେ ଡ୍ରାଇଭର ଗାଡ଼ି ଉପରେ ନିୟନ୍ତ୍ରଣ ହାଇବାରୁ ଘାଟିର ୩୦ ଫୁଟ ତଳକୁ ଗାଡ଼ି ଖସି ଓଲଟି ପଡ଼ିଥିଲା । ସୂଚନା ପାଇ ତୁରନ୍ତ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦଶରୁ ମାଝୀ, ତପସ୍ୱିନ ମାଝୀ, ଶୋଭା ମାଝୀ, ସାନ ମାଝୀ ଓ ଦୁବଲ ମାଝୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟମାନଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ଥୁଆମୂଳ ରାମପୁର ପୁଲିସ ଥାନାଧିକାରୀ ଗୋବିନ୍ଦ ମାଝୀ ଘଟଣାସ୍ଥଳରେ ପହଂଚି ଶବ ୨ଟିକୁ ଜବତ କରିବା ସହ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନିୟୋଜିତ ଶବ ବାହକ ଯାନ ସହାୟତାରେ ବ୍ୟବଚ୍ଛେଦ ପାଇଁ ଥୁଆମୂଲ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।