ଫୁଲବାଣୀ,ଏନ୍ଏନ୍ଏସ୍: ଜଣେ ନାବାଳିକାଙ୍କୁ ଅପହରଣ ମାମଲାରେ ସମ୍ପୃକ୍ତ ନାବାଳକ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ନାବାଳକ ଜଣକ ହେଉଛନ୍ତି ସଦର ଥାନା ଆଲାମୀ ପଞ୍ଚାୟତ ଲୁହୁରୁବାଲି ଗ୍ରାମର ବଂଶୀଧର ଦିଗାଲଙ୍କ ପୁଅ ପ୍ରିୟବ୍ରତ। ସୂଚନା ଅନୁସାରେ, ପ୍ରାୟ ଏକମାସ ତଳେ ଜଣେ ନବାଳିକାକୁ ଅପହରଣ କରାଯାଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ପ୍ରିୟବ୍ରତ ସହ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଧରିଥିଲା। ଅନ୍ୟ ୩ ଅଭିଯୁକ୍ତ ସାବାଳକ ଥିବାରୁ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ପ୍ରିୟବ୍ରତ ନାବାଳକ ଥିବାରୁ ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା ଏବଂ ବୋର୍ଡ ତାଙ୍କୁ ବ୍ରହ୍ମପୁରସ୍ଥିତ ସୁଧାର ଗୃହକୁ ପଠାଇଥିଲା। ୪ ଦିନ ତଳେ ପ୍ରିୟବ୍ରତ ସେଠାରୁ ଘରକୁ ଫେରିଥିଲା।
ଗତକାଲି ପ୍ରିୟବ୍ରତକୁ ତାଙ୍କ ବାପା କୌଣସି କାରଣକୁ ନେଇ ଗାଳି କରିଥିଲେ। ଆଜି ସକାଳେ ଘରଠାରୁ କିଛି ଦୂର ଜଙ୍ଗଲର ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ୍ ପ୍ରିୟବ୍ରତର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଆଦିତ୍ୟ କୁମାର ସେଠୀ ସୂଚନା ଦେଇଛନ୍ତି।