କ୍ୱାରେଣ୍ଟାଇନରେ ରହି ମୋନିକାଙ୍କ ସଫଳତା, ଫଟୋଫକ୍ସ ମିସ୍ ଟିନ୍ ୨୦୨୦ ପ୍ରତିଯୋଗିତାର ତୃତୀୟ 

ଫୁଲବାଣୀ,ଜି.ଉଦୟଗିରି,ଏନ୍ଏନ୍ଏସ୍: ମହାମାରୀ କରୋନା ଯୋଗୁଁ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡୁଛି। ଅନେକେ କ୍ୱାରେଣ୍ଟାଇନକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ହେଲେ କ୍ୱାରେଣ୍ଟାଇନରେ ରହି ନିଜକୁ ସହଜ ଭାବିବା ସହ ନିଜର ଟାଲେଣ୍ଟକୁ ପ୍ରତିପାଦିତ କରିପାରିଛନ୍ତି ଜିଉଦୟଗିରି ବ୍ଲକ୍ କୁର୍ମିଙ୍ଗିଆ ଗ୍ରାମର ଝିଅ ମୋନିକା ପ୍ରଧାନ। ମୋନିକାଙ୍କ ପରିବାର ବିହାରରେ ରହୁଥିବା ବେଳେ ତାଙ୍କ ବାପା ନିଖିଲ୍ ପ୍ରଧାନ ସେଠାରେ ଏକ ସ୍କୁଲରେ ଶିକ୍ଷକତା କରନ୍ତି। ମୋନିକା ଭୁବନେଶ୍ୱରରେ ବିଏସିସ୍ ନର୍ସିଂ ତାଲିମ ନେଉଛନ୍ତି। ମାର୍ଚ୍ଚମାସରେ ସେ ଦେହ ଅସୁସ୍ଥତା ପାଇଁ ବିହାର ତାଙ୍କ ପରିବାର ପାଖକୁ ଯାଇଥିଲେ। ତେବେ କରୋନା ମହାମାରୀ ଯୋଗୁଁ ସେ ତାଙ୍କ ପରିବାର ସହ ଗତ ୫ ତାରିଖରେ ନିଜ ଗ୍ରାମକୁ ଫେରି ଆସିଛନ୍ତି। ତେବେ ରାଜ୍ୟ ବାହାରୁ ଫେରିଥିବା ଯୋଗୁଁ ସେମାନଙ୍କୁ ଜିଲ୍ଲା ପ୍ରଶାସନ କ୍ୱାରେଣ୍ଟାଇନରେ ରଖିଥିଲା। ସେ ଓ ତାଙ୍କ ପରିବାର ସମସ୍ତେ ଜି.ଉଦୟଗିରିସ୍ଥିତ ବାଳିକା ହାଇସ୍କୁଲରେ ଟିଏମସିରେ ରହିଥିଲେ। ଏହି ସମୟରେ ଅନଲାଇନରେ ଜାତୀୟସ୍ତରର ଫେସନ ପ୍ରତିଯୋଗିତା ଫଟୋଫକ୍ସ ମିସ୍ ଟିନ୍ ୨୦୨୦ ପ୍ରତିଯୋଗିତା ଆରମ୍ଭ ହୋଇଥିଲା।

ଏହା ଜାଣିବା ପରେ ମୋନିକା ଏଥିରେ ଜଣେ ପ୍ରତିଯୋଗି ଭାବେ ଭାଗ ନେଇଛନ୍ତି। ସାରା ଦେଶରେ ଏହି ପ୍ରତିଯୋଗିତା ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଏହି ପ୍ରତିଯୋଗିତା ହୋଇଥିଲା। ଏଥିରେ ଓଡ଼ିଶାର ପ୍ରାୟ ହଜାର ହଜାର ସଂଖ୍ୟାରେ ପ୍ରତିଯୋଗିତାରେ ନିଜର ନାମ ପଞ୍ଜିକରଣ କରିଥିବା ବେଳେ ଏଥିରେ ୫୦ ଜଣ ଫାଇନାଲ୍ ପ୍ରତିଯୋଗିତା ପାଇଁ ସ୍କ୍ରିନ୍ଂ କରାଯାଇଛି। ସେଥିରେ ମୋନିକା ମଧ୍ୟ ସାମିଲ ଅଛନ୍ତି। ଆସନ୍ତା ୧ ତାରିଖ ଯାଏଁ ଏହାର ଭୋଟିଂ ପ୍ରକିୟା ଚାଲୁ ରହିବ। ତେବେ ବର୍ତ୍ତମାନ ମିଳିଥିବା ଭୋଟ ପ୍ରକାରେ ମୋନିକା ୩ୟ ସ୍ଥାନରେ ରହି ପ୍ରଥମ ପର୍ଯ୍ୟ।।ୟରୁ ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ତିର୍ଣ୍ଣ ହୋଇଛନ୍ତି। ତେଣୁ ମୋନିକା ଫେସବୁକ୍ ଓ ହ୍ୱାଟ୍ସଅପ ମାଧ୍ୟମରେ ବହୁ ସଂଖ୍ୟାରେ ଏଥିରେ ଭୋଟିଂ ଦେବା ସହିତ ଉତ୍ସାହିତ ମଧ୍ୟ କରିଛନ୍ତି। ଏପରିକି ଭୋଟ ଦେବାପାଇଁ ଲଣ୍ଡନରେ ରହୁଥିବା ତାଙ୍କର ଜଣେ ସମ୍ପର୍କୀୟ ଭାଇ କୃପାନିଧି ନାୟକ ଓ ଅନ୍ୟ ସାଙ୍ଗସାଥି ମାନେ ମଧ୍ୟ ତାଙ୍କୁ ସହେଯାଗ କରିଥିଲେ।