ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ଥାନାରେ ଗତ ଅଗଷ୍ଟ ୫ ତାରିଖରେ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିବା, ଥାନାକୁ ଜାଳିପୋଡ଼ି ନଷ୍ଟ କରିବା ସହ ସମସ୍ତ ଜିନିଷ ଓ କାଗଜପତ୍ର ପୋଡ଼ି ଭଙ୍ଗାରୁଜା କରାଯାଇଥିଲା । ଏହି ଘଟଣା ପରେ ଫିରିଙ୍ଗିଆ ଥାନାକୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଫିରିଙ୍ଗିଆ ଥାନାଧିକାରୀ ରମେଶ କୁମାର ପ୍ରଧାନ ଗୁରୁତର ସହ ନେଇ ସମସ୍ତ କାର୍ଯ୍ୟକୁ ଗୋଟିଏ ମାସ ମଧ୍ୟରେ ସମାପ୍ତ କରି ଆଜି ପୁଣିଥରେ ଥାନାରେ ପୂଜା କାର୍ଯ୍ୟ କରି କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂଜା କାର୍ଯ୍ୟ ସକାଳ ୧୧ ଟାରେ ଆରମ୍ଭ ହୋଇଥିବାବେଳେ ଦିନ ୨ଟାରେ ପୂଜା କାର୍ଯ୍ୟ ସରିଥିଲା । ଦିନ ୨ଟାରେ ଫୁଲବାଣୀ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ପାତ୍ର ଓ ଉପଖଣ୍ଡ ଅଧିକାରୀ ସୁପ୍ରଶନ ମଲ୍ଲିକ ଯୋଗ ଦେଇଥିଲେ । ଥାନାରେ ପହଞ୍ଚି ଆରକ୍ଷୀ ଅଧିକ୍ଷକ ଓ ଏଡିପିଓ ଥାନା ପରିସର ବୁଲି ଦେଖିଥିଲେ । ଏହାସହ ଅଞ୍ଚଳରେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ରହିଥିବାବେଳେ ଶୃଙ୍ଖଳା ଫେରିଛି ତେଣୁ ପୁଣିଥରେ ଥାନା କାର୍ଯ୍ୟ ଆରମ୍ଭ ହେଲେ ଅଞ୍ଚଳରେ ଲୋକେ ଥାନାର ସମସ୍ତ ସୁବିଧା ପାଇପାରିବେ ବୋଲି ଫିରିଙ୍ଗିଆ ଥାନାଧିକାରୀ ରମେଶ କୁମାର ପ୍ରଧାନ କହିଛନ୍ତି ।