୮.୬୫%କୁ ବଢ଼ିଲା ପିଏଫ୍ ସୁଧହାର

ନୂଆଦିଲ୍ଲୀ,ଏଜେନ୍ସି : କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ)ର ୬ କୋଟିରୁ ଊଦ୍ଧ୍ୱର୍ ସଦସ୍ୟଙ୍କୁ ପାର୍ବଣ ଋଣ ପୂର୍ବରୁ ମୋଦୀ ସରକାର ଉପହାର ଦେବାକୁ ଯାଉଛନ୍ତି । ଇପିଏଫ୍ଓର ଏହି ୬ କୋଟି ଗ୍ରାହକଙ୍କୁ ଆର୍ଥିକବର୍ଷ ୨୦୧୮-୧୯ ପାଇଁ ସେମାନଙ୍କ ଜମାରାଶି ଉପରେ ୮.୬୫% ଦରରେ ସୁଧହାର ଉପଲବ୍ଧ କରାଯିବ ବୋଲି ଶ୍ରମମନ୍ତ୍ରୀ ସନ୍ତୋଶ ଗଙ୍ଗୱାର କହିଛନ୍ତି । କେନ୍ଦ୍ରୀୟ ବୋର୍ଡ ପକ୍ଷରୁ ଚଳିତବର୍ଷ ଫେବୃଆରୀରେ ଗତ ଆର୍ଥିକବର୍ଷ ପାଇଁ ୮.୬୫% ସୁଧହାରକୁ ମଞ୍ଜୁରୀ ଦିଆଯାଇଥିଲା । ବର୍ତ୍ତମାନ ଇପିଏଫ୍ଓର ଜମାରାଶି ଉପରେ ୮.୫୫% ସୁଧହାର ଦିଆଯାଉଛି ।

ଏହି ପ୍ରସ୍ତାବକୁ ଆଗକୁ ସ୍ୱୀକୃତି ଦେବା ଲାଗି ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଯାଇଛି । ଗଙ୍ଗୱାର କହିଛନ୍ତି ଯେ, ପାର୍ବଣ ଋତୁ ପୂର୍ବରୁ ଇପିଏଫ୍ଓର ୬ କୋଟି ସଦସ୍ୟଙ୍କୁ ଆର୍ଥିକବର୍ଷ ୨୦୧୮-୧୯ ପାଇଁ ୮.୬୫% ଦରରେ ସୁଧହାରକୁ ସେମାନଙ୍କ ଆକାଉଣ୍ଟରେ ଜମା କରାଯିବ । ଏନେଇ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଖୁବ୍ଶୀଘ୍ର ଅଧିସୂଚିତ କରାଯିବ । ଅର୍ଥ ମନ୍ତ୍ରଣାଳୟକୁ ଏହି ପ୍ରସଙ୍ଗରେ କୌଣସି ପ୍ରକାରର ଆପତ୍ତି ନାହିଁ ବୋଲି ଗଙ୍ଗୱାର କହିଛନ୍ତି । ତେବେ ଭବିଷ୍ୟନିଧି ଗ୍ରାହକଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଜମା କରିବା ଲାଗି ଶ୍ରମ ମନ୍ତ୍ରଣାଳୟ ଅଧିସୂଚନାର ଆବଶ୍ୟକତା ରହିଥାଏ । ମନ୍ତ୍ରଣାଳୟ ସୁଧହାରକୁ ନେଇ ବିଜ୍ଞପ୍ତି ଜାରି କରିବା ପରେ ହିଁ ଭବିଷ୍ୟନିଧିର ୬ କୋଟି ଗ୍ରାହକଙ୍କୁ ଏହାର ଫାଇଦା ହୁଏ ।