କ୍ରମାଗତ ୬ ଦିନରେ ୧.୫୯ ଟଙ୍କା ବଢ଼ିଛି ପେଟ୍ରୋଲ୍

ନୂଆଦିଲ୍ଲୀ,ଏଜେନ୍ସି: ସାଉଦି ଆରବର ତୈଳ କମ୍ପାନୀ ଉପରେ ଆକ୍ରମଣ ହେବା ପରେ ବିଶ୍ୱବ୍ୟାପୀ ଅଶୋଧିତ ତୈଳ ବଜାର ଭାରିମାତ୍ରାରେ ପ୍ରଭାବିତ ହୋଇଛି। ଏହାଦ୍ୱାରା ଭାରତୀୟ ବଜାରରେ ଉଭୟ ପେଟ୍ରୋଲ୍ ଏବଂ ଡିଜେଲ୍ ଦର କ୍ରମଶଃ ବଢ଼ିଚାଲିଥିବାବେଳେ ପେଟ୍ରୋଲିୟମ୍ ପଦାର୍ଥର ଏହି ବର୍ଦ୍ଧିତ ଦର ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଛି। ରବିବାର ଉଭୟ ପେଟ୍ରୋଲ୍-ଡିଜେଲ୍ ମହଙ୍ଗା ହୋଇଛି ଏବଂ ଏହାକୁ ମିଶାଇ ଆକ୍ରମଣ ପରଠାରୁ କ୍ରମାଗତ ୬ଦିନ ଧରି ଉଭୟ ତୈଳଦରରେ ବୃଦ୍ଧି ପରିଲକ୍ଷିତ ହେଉଛି।

ଯାହାଫଳରେ ସେପ୍ଟେମ୍ବର ୧୭ ପରଠାରୁ ଅର୍ଥାତ୍ ବିଗତ ୬ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର୍ ପ୍ରତି ୧.୫୯ ଟଙ୍କା ଏବଂ ଡିଜେଲ୍ ଲିଟର୍ ପ୍ରତି ୧.୩୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦେଶର ସର୍ବବୃହତ୍ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍)ର ସୂଚନା ମୁତାବକ, ରବିବାର ଦିଲ୍ଲୀରେ ପେଟ୍ରୋଲ୍ ଦର ଲିଟର୍ ପ୍ରତି ୨୭ ପଇସା ବୃଦ୍ଧି ପାଇ ୭୩.୬୨ ଟଙ୍କାରେ ପହଞ୍ଚିଥିବାବେଳେ ଡିଜେଲ୍ ମୂଲ୍ୟ ଲିଟର୍ ପ୍ରତି ୨୧ ପଇସା ଲେଖାଏଁ ବୃଦ୍ଧି ପାଇ ୬୬.୭୪ ଟଙ୍କାରେ ପହଞ୍ଚିଛି। ସେହିପରି ଶନିବାର ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଲିଟର୍ ପ୍ରତି ଯଥାକ୍ରମେ ୨୪ରୁ ୩୧ ପଇସା ଏବଂ ୨୪ରୁ ୨୬ ପଇସା ଲେଖାଏଁ ବୃଦ୍ଧି ପାଇଛି। ରବିବାର ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଆଦି ପ୍ରମୁଖ ମେଟ୍ରୋରେ ପେଟ୍ରୋଲ୍ ଦର ଯଥାକ୍ରମେ ୭୯.୨୯ ଟଙ୍କା, ୭୬.୩୨ ଟଙ୍କା ଓ ୭୬.୫୨ ଟଙ୍କାକୁ ବୃଦ୍ଧି ପାଇଥିବାବେଳେ ଡିଜେଲ୍ ମୂଲ୍ୟ ମଧ୍ୟ ଉପରୋକ୍ତ ମେଟ୍ରୋ ସହରଗୁଡ଼ିକରେ ଯଥାକ୍ରମେ ୭୦.୦୧ ଟଙ୍କା, ୬୯.୧୫ ଟଙ୍କା ଓ ୭୦.୫୬ ଟଙ୍କାକୁ ବୃଦ୍ଧି ପାଇଛି। ୨୦୧୭ରେ ସର୍ବାଧିକ ଦୈନିକ ମୂଲ୍ୟ ସଂଶୋଧନ ଜାରି କରାଯାଇଥିଲା।

ଦେଶର ଦ୍ୱିତୀୟ ସର୍ବବୃହତ୍ ତୈଳ ଯୋଗାଣକାରୀ ରାଷ୍ଟ୍ର ରୂପେ ପରିଚିତ ସାଉଦି ଆରବ ପ୍ରତି ମାସରେ ପ୍ରାୟ ୨୦ ଲକ୍ଷ ଟନ୍ ଅଶୋଧିତ ତୈଳ ବିକ୍ରି କରିଥାଏ। ଏଥିମଧ୍ୟରୁ ସେପ୍ଟେମ୍ବର ମାସ ପାଇଁ ୧୨ ଲକ୍ଷରୁ ୧୩ ଲକ୍ଷ ଟନ୍ ତୈଳ ଯୋଗାଣ କରିସାରିଥିବାବେଳେ ଭାରତକୁ ତୈଳ ଯୋଗାଣ ଜାରି ରଖାଯିବ ବୋଲି ସାଉଦି ଆରବ ପକ୍ଷରୁ କୁହାଯାଇଛି। ସେହିପରି ଭାରତ ସାଉଦି ଆରବଠାରୁ ପ୍ରତି ମାସରେ ୨ ଲକ୍ଷ ଟନ୍ ଏଲପିଜି କ୍ରୟ କରିଥାଏ।