ଚଳିତବର୍ଷର ସର୍ବୋଚ୍ଚସ୍ତରରେ ଡିଜେଲ୍; ପେଟ୍ରୋଲ୍ ଦରରେ ବି ବୃଦ୍ଧି

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ମହଙ୍ଗା ପ୍ରସଙ୍ଗରେ ବଡ଼ଧରଣର ଝଟ୍କା ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦରରେ ବୃଦ୍ଧି ହେବା କାରଣରୁ ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ବୃଦ୍ଧି ପାଇଥିବାବେଳେ ଡିଜେଲ୍ ଦର ବର୍ଷକର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ରାଜଧାନୀ ଦିଲ୍ଲୀରେ ଡିଜେଲ୍ ଲିଟର ପିଛା ୬୭.୭୮ ଟଙ୍କାରେ ବିକ୍ରି ହେଉଥିବାବେଳେ ପେଟ୍ରୋଲ୍ ଲିଟର ପିଛା ୭୫.୦୪ ଟଙ୍କାରେ ପହଞ୍ଚିଛି।

ଏହା ପୂର୍ବରୁ ଡିସେମ୍ବର ୯ ତାରିଖରେ ପେଟ୍ରୋଲ୍ ଦର ଲିଟର ପିିଛା ୭୫ ଟଙ୍କା ଥିଲା। ସରକାରୀ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସିଏଲ୍)ର ସୂଚନା ମୁତାବକ, ସୋମବାର ଦିଲ୍ଲୀରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଲିଟର ପିଛା ଯଥାକ୍ରମେ ୧୬ ପଇସା ଏବଂ ୧୮ ପଇସା ଲେଖାଏଁ ବୃଦ୍ଧି ପାଇଛି। ସେହିପରି କୋଲକାତା ଓ ମୁମ୍ବାଇରେ ପେଟ୍ରୋଲ୍ ମୂଲ୍ୟରେ ଲିଟର ପ୍ରତି ୧୬ ପଇସା ଲେଖାଏଁ ଏବଂ ଚେନ୍ନାଇରେ ୧୭ ପଇସା ଲେଖାଏଁ ବୃଦ୍ଧି ପାଇଛି। ଏହାସହ ଡିଜେଲ୍ ମୂଲ୍ୟ ଦିଲ୍ଲୀ ଓ କୋଲକାତାରେ ୧୮ ପଇସା ଲେଖାଏଁ ଏବଂ ମୁମ୍ବାଇ ଓ ଚେନ୍ନାଇରେ ୧୯ ପଇସା ଲେଖାଏଁ ବୃଦ୍ଧି ଉଲ୍ଲେଖ କରାଯାଇଛି।

ଆଇଓସିଏଲ୍ର ରିପୋର୍ଟ ମୁତାବକ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇରେ ପେଟ୍ରୋଲ୍ ଲିଟର ପିଛା ଯଥାକ୍ରମେ ୭୫.୦୪ ଟଙ୍କା, ୭୭.୭୦ ଟଙ୍କା, ୮୦.୬୯ ଟଙ୍କା ଏବଂ ୭୮.୦୨ ଟଙ୍କାରେ ମିଳୁଥିବାବେଳେ ଡିଜେଲ୍ ଲିଟର ପିଛା ଯଥାକ୍ରମେ ୬୭.୭୮ ଟଙ୍କା, ୭୦.୨୦ ଟଙ୍କା, ୭୧.୧୨ ଟଙ୍କା ଏବଂ ୭୧.୬୭ ଟଙ୍କାରେ ମିଳୁଥିଲା। ବର୍ତ୍ତମାନ ସମୟରେ ପେଟ୍ରୋଲ୍-ଡିଜେଲ୍ ଦର ପ୍ରତିଦିନ ବୃଦ୍ଧି ପାଇବା ସହିତ ହ୍ରାସ ମଧ୍ୟ ହେଉଛି। ପ୍ରତ୍ୟହ ସକାଳ ୬ଟା ରେ ତୈଳଦରର ନୂତନ ଦର ପରିବର୍ତ୍ତନ ହୋଇଥାଏ।