କମିଲା ପେଟ୍ରୋଲ-ଡିଜେଲ ଦର, ଉଜ୍ବଳା ଗ୍ୟାସ ଉପଭୋକ୍ତାଙ୍କୁ ଆସ୍ବସ୍ତି

ନୂଆଦିଲ୍ଲୀ: ବର୍ତ୍ତମାନର ଦରବୃଦ୍ଧି ସମୟରେ ସାଧାରଣ ଜନତାଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକସାଇଜ ଡ୍ୟୁଟି କମାଇବାକୁ ନିଷ୍ପତ୍ତି ନେଇଛନ୍ତି । ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୮ ଟଙ୍କା ଓ ଡିଜେଲ ୬ଟଙ୍କା କମିବ । ଫଳରେ ପେଟ୍ରୋଲ ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ୭ ଟଙ୍କା କମିବ । ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ପ୍ରଦାନ କରିଛନ୍ତି ।

ଏଥିସହିତ ଉଜ୍ବଳା ଗ୍ୟାସ ଉପଭୋକ୍ତାଙ୍କୁ ଆସ୍ବସ୍ତି ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଘୋଷଣା କରି କହିଛନ୍ତି କି, ଆମେ ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାର ୯ କୋଟିରୁ ଅଧିକ ଉପଭୋକ୍ତାଙ୍କୁ ୨୦୦ ଟଙ୍କା ପ୍ରତି ଗ୍ୟାସ ସିଲିଣ୍ଡରରେ ସବସିଡ଼ି ଦେବାକୁ ନିଷ୍ପତ୍ତି ନେଇଛୁ। ତେବେ ବର୍ଷକୁ ଉଜ୍ବଳା ଯୋଜନାରେ ୧୨ଟି ସିଲିଣ୍ଡରରେ ଏହି ସବ୍‌ସିଡି ପ୍ରଦାନ କରାଯିବ।

ଏହି ଅବସରରେ ସେ କହିଛନ୍ତି କି ଯେବେ ଠାରୁ ଦେଶରେ ମୋଦୀ ସରକାର ଆସିଛି ଆମେ ଗରିବ କଲ୍ୟାଣ ପାଇଁ କାମ କରୁଛୁ। ଆମ କାର୍ଯ୍ୟକାଳ ମଧ୍ୟରେ ଆମେ ଗରିବ ଓ ମଧ୍ୟମ ବର୍ଗର ଲୋକଙ୍କ ପାଇଁ କିଛି ପଦକ୍ଷେପ ନେଇଛୁ ଯାହା ଫଳରେ ପୂର୍ବ ସରକାରଙ୍କ ଠାରୁ ମହଙ୍ଗା କମିଛି। ଏଥିସହିତ ସେ କହିଛନ୍ତି କି କରୋନା କବଳରୁ ସାରା ବିଶ୍ବ ଧିରେ ଧିରେ ଆସ୍ବସ୍ତ ହେଉଛି।