ଚକଡ଼ା ପୋକର ଆତଙ୍କ : ଚାଷୀ ମୁଣ୍ଡରେ ଚଡ଼କ

ଜୟପୁର, ଏନ୍ଏନ୍ଏସ୍ : ସରକାର ଚାଷ କ୍ଷେତ୍ରରେ ଉନ୍ନତି ନିମନ୍ତେ କରିଛନ୍ତି ଅନେକ ଯୋଜନା । ଚାଷୀ କିଭଳି ସୁଲଭ ମୂଲ୍ୟରେ ଉଚିତ ରାସାୟନିକ ସାର ଠାରୁ ଆରମ୍ଭ କରି ବିହନ ପାଇ ପାରିବେ ସେଥିପାଇଁ ବିଶେଷ ଧ୍ୟାନ ଦେଇଥିବା କହିଛନ୍ତି । ହେଲେ ଚକଡ଼ା ପୋକ ବିନାଶ ପାଇଁ ଚାଷୀଙ୍କୁ ସରକାର ପକ୍ଷରୁ ଯେଉଁ ଔଷଧ ଦିଆଯାଇଛି ସେଥିରେ ପୋକ ନଷ୍ଟ ହେଉନଥିବା ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡର ଚାଷୀ ।

କୋରାପୁଟ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏହି ଜିଲ୍ଲାରେ ପ୍ରାୟ ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । ବର୍ଷ ସାରା ମୁଣ୍ଡର ଝାଳ ତୁଣ୍ଡରେ ମାରି ଯାହା ଅମଳ କରନ୍ତି ସେଥିରେ ପରିବାର ଗୁଜୁରାଣ କରିଥାନ୍ତି । ଏଭଳି ସ୍ଥିତିରେ ଜୟପୁର ଉପଖଣ୍ଡ ଅଂଚଳରେ କୋଟପାଡ଼, ବଇପାରିଗୁଡ଼ା, ବୋରିଗୁମା, କୁନ୍ଦୁରା ଓ ଜୟପୁର ବ୍ଲକରେ ଚକଡ଼ା ପୋକର ଆତଙ୍କ ସୃଷ୍ଟି ହୋଇଛି । ଚିନ୍ତାରେ ଚାଷୀ କୂଳ । କୋରାପୁଟ ଜିଲ୍ଲାରେ ୯୯ ହଜାର ହେକ୍ଟର ଜମିରେ ଧାନ ଫସଲ କରାଯାଉଛି । ସେଥି ମଧ୍ୟରୁ ଜୟପୁର ଉପଖଣ୍ଡରେ ହଜାର ହଜାର ହେକ୍ଟର ଜମିରେ ଚକଡ଼ା ପୋକ ଲାଗିଥିବା ଜଣାଯାଇଛି । ଚାଷୀ ମାନଙ୍କୁ ଠିକ୍ ସମୟରେ ଚକଡ଼ା ପୋକ ପ୍ରତିକାର ପାଇଁ ଔଷଧ ଦିଆଯାଇନଥିବା ଅଭିଯୋଗ କରିଛନ୍ତି । ଆଉ ଯାହା ଔଷଧ ସରକାର ପକ୍ଷରୁ ମିଳିଛି ତାହା ମୋଟେ କାମ ଦେଉନଥିବା ଚାଷୀ କହିଛନ୍ତି । ଚାଷୀମାନେ ବାଧ୍ୟ ହୋଇ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରୁଛନ୍ତି । ଚାଷ ଜମିରେ ଔଷଧ ପ୍ରୟୋଗ କରିବାର ୨୪ ଘଂଟା ମଧ୍ୟରେ ପୁଣି ଚକଡ଼ା ପୋକ ଜୀବିତ ହୋଇଯାଉଥିବା କହିଛନ୍ତି ଚାଷୀ । ଏଭଳି ସ୍ଥିତିରେ ଚାଷୀକୁ ବାଧ୍ୟ ହୋଇ ବେସରକାରୀ ଔଷଧ ଚଢ଼ା ଦରରେ କିଣିବାକୁ ପଡ଼ୁଛି । ସେହି ଔଷଧର ଦାମ କିଲୋ ପ୍ରତି ୯୦୦୦ ଟଙ୍କା ହୋଇଥିବା ବେଳେ ଗରୀବ ଚାଷୀ କିଣିବା ପାଇଁ ସକ୍ଷମ ହୁଅନ୍ତି ନାହିଁ । ଚାଷୀ ପରିବାର ଏବେ ଚିନ୍ତାରେ ।

ଜୟପୁର ଉପଖଣ୍ଡ ଅଂଚଳରେ ଚକଡ଼ା ପୋକର ଆତଙ୍କ ଧିରେଧିରେ ବଢ଼ିବାରେ ଲାଗିଛି । ଚାଷୀ ବେସରକାରୀ କୀଟନାଶକ ଔଷଧ କିଣିବା ପାଇଁ ସକ୍ଷମ ନାହାଁନ୍ତି । ସେପଟେ ସରକାରୀ କୀଟନାଶକ ଔଷଧ କାମରେ ଆସୁନି । ଏଭଳି ସ୍ଥିତରେ ଚାଷୀ କ’ଣ କରିବେ ତାକୁ ନେଇ ଚିନ୍ତାରେ । ଏ ବିଷୟରେ ଗ୍ରାମ ସେବୀକା ଠାରୁ ଆରମ୍ଭ କରି କୃଷି ଅଧିକାରୀକୁ ଗୁହାରି କରି କରି ଥକି ଗଲେଣି । କେହି କର୍ଣ୍ଣପାତ କରୁନôଥବା ଅଭିଯୋଗ କରିଛନ୍ତି ଚାଷୀ। ଶହ ଶହ ଏକର ଜମି ଯଦି ଅମଳର ଶେଷ ପର୍ୟ୍ୟାୟରେ ଚକଡ଼ା ପୋକ ଲାଗି ଚାଷ ନଷ୍ଟ ହେବ ତ ଚାଷୀ ଆତ୍ମହତ୍ୟା କରିବା ସୁନିଶ୍ଚିତ । ଏ ସମ୍ପର୍କରେ ଆମେ ଡେପୁଟି ଡାଇରେକ୍ଟର ଏଗ୍ରିକଲଚରଙ୍କୁ ଭେଟିଥିଲୁ । ଏହାର ତଦନ୍ତ କରି ଉଚିତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।