ଆଧାର କାର୍ଡ ପାଇଁ ଆସି ଲୋକେ ହଟହଟା

କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଗତ କିଛିମାସ ଧରି ଆଧାର କାର୍ଡ ସଂଶୋଧନ ଓ ନୂତନ ଆଧାର କାର୍ଡ ପାଇଁ ଫଟୋ ଉଠା କାର୍ଯ୍ୟକ୍ରମ ଚାଲିଥିଲା। କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ଫ୍ରାଞ୍ଚାଇଜ୍ ମାଧ୍ୟମରେ କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଉକ୍ତ କାର୍ଯ୍ୟାଳୟ ଗତକାଲି ନଖୋଲିବାରୁ ଦୂରଦୂରାନ୍ତରୁ ଆସୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ସମୟ ଧରି ବାରଣ୍ଡାରେ ବସିଥିଲେ। ପୂର୍ବରୁ ୩ ଓ ୪ ତାରିଖ ଛୁଟି ରହିବ ବୋଲି କାର୍ଯ୍ୟାଳୟ ସମ୍ମୁଖରେ ଲିଖିତ ନୋଟିସ୍ ଲଗାଯାଇଥିଲା। ହେଲେ ବିନା ନୋଟିସରେ କାର୍ଯ୍ୟାଳୟ ବନ୍ଦ ରହିଥିବାରୁ ଏନେଇ ଅପେକ୍ଷା କରିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଥିଲା। ଏହି କାର୍ଯ୍ୟାଳୟଟି କେତେବେଳେ ଖୋଲାଯାଏ ଓ କେତେବେଳେ ବନ୍ଦ ରହେ ତାହା ସାଧାରଣ ଲୋକେ ଜାଣିପାରନ୍ତି ନାହିଁ। ଅନ୍ୟପଟେ ଆଧାର କାର୍ଡ ତ୍ରୁଟି ଯୋଗୁ ବହୁ ଯୋଗ୍ୟ ହିତାଧିକାରୀଙ୍କ ନାମ ରାସନ କାର୍ଡରେ କଟି ଯାଇଥିବା ଶୁଣିବାକୁ ମିଳିଛି। ତେଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।