ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାଣି, ରାଜ୍ୟ ସରକାର ଏବଂ ୟୁନିସେଫ୍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟବାସୀଙ୍କୁ ୨୪ ଘଣ୍ଟା ପାଇପ୍ ଯୋଗେ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ। ଏଥି ନିମନ୍ତେ ଶୁକ୍ରବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ୟୁନିସେଫ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ଏକ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏଥିପାଇଁ ଭୁବନେଶ୍ୱରର ୫ଟି ଅଞ୍ଚଳ, ପୁରୀର ୨ଟି ଅଞ୍ଚଳରେ ପାଇଲଟ ପ୍ରେଜେକ୍ଟ ଆରମ୍ଭ କରାଯିବ। ମାର୍ଚ୍ଚ ୨୦୨୦ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍ ନାମିତ ଏହି କାର୍ଯ୍ୟକ୍ରମରେ ହିତୀଧୀକାରୀଙ୍କୁ ୨୪ ଘଣ୍ଟା ପାଣି ଯୋଗାଇ ଦିଆଯିବା ସହିତ ଶତପ୍ରତିଶତ ମିଟର ବ୍ୟବସ୍ଥା କରାଯିବ। ଏଥିରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନିୟୋଜିତ କରାଯିବ। ଏଥିପାଇଁ ସେମାନଙ୍କୁ ଆବଶ୍ୟକୀୟ ତାଲିମ ମଧ୍ୟ ଦିଆଯିବ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁ ଘରକୁ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ସରକାର ପ୍ରାଥମିକତା ଦେଇଛନ୍ତି। ବିଶୁଦ୍ଧ ପାନୀୟ ଜଳ ହିଁ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନରେ ବିଶେଷ ସହାୟକ ହୋଇଥାଏ । ୟୁନିସେଫର ବୈଷୟିକ ସହାୟତାରେ ଆରମ୍ଭ ହେଉଥିବା ଏହି ପ୍ରୋଜେକ୍ଟ ବିଶେଷ ସହାୟକ ହେବ ବୋଲି ସେ କହିଛନ୍ତି।

ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ୍ ପାଇଲଟ୍ ପ୍ରୋଜେକ୍ଟରେ ପୁରୀ ଓ ଭୁବନେଶ୍ୱରରେ ୨୨ ହଜାର ପରିବାରର ୧ ଲକ୍ଷ ୨୦ହଜାର ଲୋକଙ୍କୁ ବିଶୁଦ୍ଧ ପାଣି ମାର୍ଚ୍ଚ ୨୦୨୦ ସୁଦ୍ଧା ଯୋଗାଇ ଦିଆଯିବ। ପରେ ବିଭିନ୍ନ ପର୍ଯ୍ୟୟରେ ରାଜ୍ୟର ସବୁ ଅଞ୍ଚଳକୁ ଏହି କାର୍ଯ୍ୟକ୍ରମ ସମ୍ପ୍ରସାରଣ କରାଯିବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।