ପ୍ରଧାନମନ୍ତ୍ରୀ ଆବାସ ଅନିୟମିତତା, କଣ୍ଟିଲୋ ପିଇଓ ନିଲମ୍ବିତ

ନୟାଗଡ଼,ଏନ୍‌ଏନ୍‌ଏସ୍: ନୟାଗଡ଼ ଜିଲ୍ଲାରେ ଦୁର୍ନିତିରେ ଲିପ୍ତ ଥିବା ଅନେକ ପଞ୍ଚାୟତ ଅଧିକାରୀଙ୍କୁ ଜିଲ୍ଲାପାଳ ଡ.ପୋମା ଟୁଡୁ ନିଲମ୍ବନ କରିଥିବା ବେଳେ ଆଜି ଏହି କ୍ରମରେ ଆଉ ଜଣେ କାର୍ୟ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ ହୋଇଛନ୍ତି। ବର୍ତ୍ତମାନ ଖଣ୍ଡପଡା ବ୍ଲକ କଣ୍ଟିଲୋ ଓ ଖଳିସାହି ଦାୟିତ୍ୱରେ ଥିବା କାର୍ୟ୍ୟ ନିର୍ବାହୀ ଅଧିକାରୀ ବିଜୟ କୁମାର ନନ୍ଦଙ୍କୁ ଜିଲ୍ଲାପାଳ ଡ.ପୋମା ଟୁଡୁ ନିଲମ୍ବନ କରିଥିବା ଜଣାପଡିଛି।

ଶ୍ରୀନନ୍ଦ ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତରେ କାର୍ଯ୍ୟ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା। ଛାମୁଣ୍ଡିଆ ପଞ୍ଚାୟତରେ ସୂର୍ଯ୍ୟମଣୀ ଡାଙ୍ଗ, କୈଳାଶ ପ୍ରଧାନ, ସନାତନ ପ୍ରଧାନ, ରମେଶ ପ୍ରଧାନ, ଭଗବାନ ପ୍ରଧାନ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ। କିନ୍ତୁ ସଂପୃକ୍ତ କାର୍ୟ୍ୟ ନିର୍ବାହୀ ଅଧିକାରୀ ଚଞ୍ଚକତା କରି ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ହଡ଼ପ କରି ସେମାନଙ୍କୁ ପୁଣିଥରେ କାର୍ୟ୍ୟାଦେଶ ବଣ୍ଟନ କରିଥିଲେ। ଏପରିକି ସେମାନଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ୨୦ ହଜାର ଟଙ୍କା ଲେଖାଏଁ ୧ ଲକ୍ଷ ଟଙ୍କା ପ୍ରଥମ କିସ୍ତି ବାବଦକୁ ଅର୍ଥ ପ୍ରଦାନ କରାଯାଇଥିଲା।

ଘଟଣା ସଂପର୍କରେ ବ୍ଲକ ପ୍ରଶାସନ ଜାଣିବା ପରେ ସଂପୃକ୍ତ ପିିଇଓ ବିଡିଓଙ୍କୁ ଗତ ୨୮ ଫେବୃଆରୀ ୨୦୧୮ ଓ ୯ ମାର୍ଚ୍ଚ ୨୦୧୮ରେ ଚିଠି ମାଧ୍ୟମରେ ଉକ୍ତ ୫ଟି ଆବାସର କାର୍ୟ୍ୟାଦେଶ ରଦ୍ଦ କରିବାକୁ ଜଣାଇଥିଲେ। ତେବେ ସେତେବେଳର ତତ୍କାଳୀନ ବିଡିଓ ଏ ସଂପର୍କରେ ଜାଣିବା ପରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ। ସଂପୃକ୍ତ କାର୍ୟ୍ୟନିର୍ବାହୀ ଅଧିକାରୀ ହିତାଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଉପରୋକ୍ତ ଘଟଣାର ତଦନ୍ତ କରି ଉପଯୁକ୍ତ ପ୍ରମାଣ ପାଇବା ପରେ ଜିଲ୍ଲାପାଳ ଏ ନେଇ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଥିବା ୧ ଲକ୍ଷ ଟଙ୍କା ସଂପୃକ୍ତ ପିଇଓଙ୍କ ଠାରୁ ଆଦାୟ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡିଛି।

ତେବେ ସବୁଠାରୁ ଆଶ୍ଚର୍ୟ୍ୟର ବିଷୟ ଯେ ସଂପୃକ୍ତ ପିଇଓ ବ୍ଲକ ପ୍ରଶାସନକୁ ଏ ନେଇ ଅବଗତ କରିଥିଲେ। ତେବେ ବ୍ଲକ ପ୍ରଶାସନ ସଂପୃକ୍ତ ୫ଜଣ ହିତାଧିକାରୀଙ୍କୁ ନୋଟିସ କରି ନାହାନ୍ତି କି କାର୍ୟ୍ୟାଦେଶ ରଦ୍ଦ କରାଯାଇ ନାହିଁ କାହିଁକି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଅଧିକ ଖୋଳତାଡ କଲେ ଏଥିରେ ସଂପୃକ୍ତ ଅନ୍ୟମାନଙ୍କ ଘଟଣା ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି ।