ପେଗାସସ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

  • ନୂଆଦିଲ୍ଲୀ: ଖୋଲିବ ପେଗାସସ୍ ପେଡି। ଜାସୁସୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ସପ୍ତାହରେ ଜାସୁସୀ ମାମଲାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ପେଗାସସ୍ ମାମଲାର ଏସଆଇଟି ଯାଞ୍ଚ କରିବାକୁ ବରିଷ୍ଠ ସାମ୍ବାଦିକ ଏନ୍ ରାମ ଓ ଶଶି କୁମାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାଛଡ଼ା ବହୁ ଖ୍ୟାତନାମା ଲେଖକ, ଆଇନଜୀବୀ, ଏକାଡେମିକ୍ କାର୍ଯ୍ୟକର୍ତ୍ତାଙ୍କ ସମେତ ୫୦୦ରୁ ଅଧିକ ବ୍ୟକ୍ତି ଏନେଇ ସିଜେଆଇଙ୍କୁ ଚିଠି ଲେଖି ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି। ସେପଟେ ସାମାଜିକ କର୍ମୀ ଅରୁଣ ରୟ, ଅଞ୍ଜଳି ଭରଦ୍ୱାଜ, କବିତା କ୍ରୀଷ୍ଣନ, ଆଇନଜୀବୀ ବ୍ରିନ୍ଦା ଗ୍ରୋବର ପ୍ରମୁଖ ସିଜେଆଇଙ୍କୁ ଚିଠି ଲେଖିଥିଲେ। ପେଗାସସ୍ ସ୍ପାଏୱେର କେହି ଭାରତୀୟ କିଣିଛନ୍ତି କି ନାହିଁ? ଯଦି କିଣିଛନ୍ତି କେତେ ଟଙ୍କାରେ କିଣାଯାଇଛି ? ଏହି ସ୍ପାଏୱେରକୁ ଭାରତରେ କିପରି ଫୋନ୍ ହ୍ୟାକିଂରେ ବ୍ୟବହାର କରାଯାଇଥିଲା? ସାମ୍ବାଦିକ, ରାଜନେତା, ଆଇନଜୀବୀ ଏପରିକି ସୁପ୍ରିମକୋର୍ଟ ବିଚାରପତିଙ୍କ ଫୋନ୍ ହ୍ୟାକିଂ କରାଯାଇଥିଲା କି?
    ଏ ସବୁର ଯାଞ୍ଚ ନିର୍ଦ୍ଦେଶ ଦେବା ସହ ସରକାରଙ୍କୁ ଏହାର ଉତ୍ତର ମାଗିବାକୁ ଚିଠି ଲେଖାଯାଇଥିଲା। ଯାହାର ଶୁଣାଣି ଅଗଷ୍ଟ ପ୍ରଥମ ସପ୍ତାହରେ କରାଯିବ। ଏହାକୁ ନେଇ ସୁପ୍ରିମକୋର୍ଟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।