ନିର୍ଭୟା ମାମଲାରେ ଦୋଷୀ ପବନ ଗୁପ୍ତାକୁ ସୁପ୍ରିମକୋର୍ଟରୁ ଝଟକା

ନୂଆଦିଲ୍ଲୀ,ଏଜେନ୍ସି: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କର କ୍ୟୁରେଟିଭ୍‌ ପିଟିସନ୍‌କୁ ଆଜି ସୁପ୍ରିମ୍‌ କୋର୍ଟ ଖାରଜ କରିଛି। ମୃତ୍ୟୁଦଣ୍ଡାଦେଶକୁ ଚାଲେଞ୍ଜ୍‌ କରି ସେ ସୁପ୍ରିମ୍‌ କୋର୍ଟରେ ପିଟିସନ୍‌ ଦାଏର କରିଥିଲେ। ପିଟିସନ୍‌ରେ ପବନ ଦାବି କରିଥିଲେ ଯେ ୨୦୧୨ରେ ସଂଗଠିତ ଏହି ଅପରାଧ ସମୟରେ ସେ କିଶୋର ଅବସ୍ଥାରେ ଥିଲେ। ନିମ୍ନ ଅଦାଲତ ଏହାକୁ ଏଡ଼ାଇ ଦେଇଛି। ଏହାଛଡ଼ା ସେ ଯୁକ୍ତି ବାଢ଼ିଥିଲେ ଯେ ଅପରାଧ ସମୟରେ ସେ ନାବାଳକ ଥିବାରୁ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଉ।

କିନ୍ତୁ, ବିଚାରପତି ଏନ୍‌ଭି ରମଣଙ୍କ ନେତୃତ୍ୱରେ ୬ଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ ଗୁପ୍ତାଙ୍କର ଆବେଦନ ଓ ଆବେଦନର ମୌଖିକ ଶୁଣାଣି ନିମନ୍ତେ ଅନୁରୋଧକୁ ଖାରଜ କରିଛନ୍ତି। ଏହାପୂର୍ବରୁ ମଧ୍ୟ ପବନ ସୁପ୍ରିମ୍‌ କୋର୍ଟରେ ଏହି ଏକା ପ୍ରସଙ୍ଗ ଉପରେ ରିଭ୍ୟୁ ପିଟିସନ୍‌ ଦାଏର କରିଥିଲେ। ତାହା ମଧ୍ୟ ଅଦାଲତଙ୍କ ଦ୍ୱାରା ଖାରଜ ହୋଇଥିଲା। ନିର୍ଭୟା ମାମଲାର ୪ ଦୋଷୀ ୨୫ ବର୍ଷୀୟ ପବନ ଗୁପ୍ତା, ୨୬ ବର୍ଷିୟ ବିନୟ ଶର୍ମା, ୩୨ ବର୍ଷିୟ ମୁକେଶ କୁମାର ଏବଂ ୩୧ ବର୍ଷିୟ ଅକ୍ଷୟ କୁମାର ସିଂହଙ୍କୁ ଶୁକ୍ରବାର ଭୋର୍‌ ୫ଟା ୩୦ରେ ଫାଶୀ ଦିଆଯିବାକୁ ସମୟ ଧାର୍ୟ୍ୟ କରାଯାଇଛି।