ପାଟଣାଗଡ଼ରେ ସଟଡାଉନ ସଫଳ

ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ଼ରେ ପ୍ରଥମ ଦିନର ସଟଡାଉନ ସଫଳ ହୋଇଛି। କରୋନା ସଂକ୍ରମଣକୁ ଲକ୍ଷ୍ୟରେ ରଖି ଜୁନ୍ ମାସର ପ୍ରତ୍ୟେକ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟଡାଉନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଆଉ ଏହି ୧୧ ଜିଲ୍ଲାରେ ବଲାଙ୍ଗିର ମଧ୍ୟ ସାମିଲ ହୋଇଛି। ଏନେଇ ପାଟଣାଗଡ଼ ପ୍ରଶାସନ ତରଫରୁ ଗତକାଲି ରାତ୍ରିରେ ଡାକବାଜି ଯନ୍ତ୍ର ଦ୍ୱାରା ସହରରେ ପ୍ରଚାର କରାଯାଇଥିଲା। ଆଜି ପାଟଣାଗଡ଼ ଉପଖଣ୍ଡର ବେଲପଡ଼ା, ଖପ୍ରାଖୋଲ, ଲାଠୋର, ଲରମ୍ଭା ଅଂଚଳ ସଟଡାଉନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ପୁଲିସ ପକ୍ଷରୁ ମଧ୍ୟ କଡ଼ା ପେଟ୍ରୋଲିଂ କରାଯାଉଛି ଓ ଉପଖଣ୍ଡର ସମସ୍ତ ଅଂଚଳ ସଟଡାଉନ ଥିବା ପାଟଣାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁରେଶ ନାୟକ କହିଛନ୍ତି।