ମହଙ୍ଗା ପଡ଼ିଲା ଲୁଣ କଳାବଜାର

ପାଟଣାଗଡ଼,ଏନ୍ଏନ୍ଏସ୍: କରୋନା ମହାମାରୀ ଯୋଗୁ ସାରା ଦେଶରେ ଲକଡାଉନ ଜାରି ରହିଥିବାବେଳେ କିଛି ବ୍ୟବସାୟୀ କଳାବଜାରି କରୁଥିବା ଅନେକ ଘଟଣା ସାମ୍ନାକୁ ଆସୁଛି। ନିକଟରେ ନବରଙ୍ଗପୁର ଜିଲ୍ଲାର ଲୁଣ ଅଭାବକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ଏନେଇ ଜିଲ୍ଲାବାସୀ ଆତଙ୍କିତ ମଧ୍ୟ ହୋଇଥିଲେ। ସେହିପରି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ଦେଖିବାକୁ ମିଳିଛି। ଏନେଇ ବ୍ୟବସାୟୀଙ୍କ ପାଖରେ ଲୁଣ ଥାଇ ମଧ୍ୟ ଚଢ଼ା ଦରରେ ଗ୍ରାହକଙ୍କୁ ବିକ୍ରି କରୁଥିବା ଅଭିଯୋଗ ଆସିଛି।

ମିଳିଥିବା ସୂଚନାନୁଯାୟୀ, ଲକଡାଉନର ସୁଯୋଗ ନେଇ ପାଟଣାଗଡ଼ର ବ୍ରବସାୟୀ ଆଳୁ, ପିଆଜ, ତେଲ, ପାନ ମସଲା ପରେ ଗତ ଦୁଇ ଦିନ ହେବ ଲୁଣର କୃତ୍ରିମ ଅଭାବ ସୃଷ୍ଟି କରି ଅତ୍ୟନ୍ତ ଚଢ଼ା ଦରରେ ବିକିବା ଆରମ୍ଭ କରିଥିଲେ। ଏନେଇ ଖବର ପାଇ ପାଟଣାଗଡ଼ ତହସିଲଦାର ଡାକ୍ତର ପୁଷ୍ପାଞ୍ଜଳୀ ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ସହରର ସର୍ଜନ କୁମାର ଅଗ୍ରୱାଲଙ୍କ ଦୋକାନ ଉପରେ ଚଢ଼ଉ କରାଯାଇଥିଲା। ଉକ୍ତ ଟିମରେ ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ ଏବଂ ଯୋଗାଣ ନୀରିକ୍ଷକ ସନ୍ତୋଷ ଅଗ୍ରସିଂହ ପୁଲିସ ସହାୟତାରେ ସର୍ଜନ କୁମାର ଅଗ୍ରୱାଲଙ୍କ ଲକ୍ଷ୍ମୀ କିରାନା ଷ୍ଟୋର ଓ ତାଙ୍କର ୩ଟି ଗୋଦାମ ଏବଂ ରାମପୁରସ୍ଥିତ ରାହୁଲ ଜୈନଙ୍କ ରାହୁଲ ଟ୍ରେଡିଂ ଦୋକାନରେ ଚଢ଼ଉ କରିଥିଲେ। ତେବେ ଚଢ଼ଉ ବେଳେ ଲକ୍ଷ୍ମୀ କିରାନା ଷ୍ଟୋରର ମାଲିକ ସର୍ଜନ କୁମାର ଅଗ୍ରୱାଲ ତାଙ୍କ ଗୋଦାମରେ ବିପୁଳ ପରିମାଣର ଲୁଣ ଗଚ୍ଛିତ ରଖି ଚଢ଼ା ଦରରେ ବିକ୍ରି କରୁଥିବା ତଦନ୍ତକାରୀ ଦଳ ଦେଖିଥିଲେ। ତେବେ ଆଜି ସର୍ଜନ କୁମାର ଅଗ୍ରୱାଲଙ୍କ ଦୋକାନରୁ ୧ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି ବୋଲି ପାଟଣାଗଡ଼ ତହଦିଲଦାର ସୂଚନା ଦେଇଛନ୍ତି।