ଅମାନିଆ ଲୋକଙ୍କୁ ଅଭିନବ ଉପାୟରେ ସଚେତନ କରାଉଛି ପାଟଣା ପୁଲିସ

ପାଟଣା,ଏନ୍ଏନ୍ଏସ୍: ସାରା ବିଶ୍ୱ କରୋନା ଭାଇରସକୁ ନେଇ ଭୟଭୀତ ଥିବା ବେଳେ ଗତକାଲି ଠାରୁ ସାରା ରାଜ୍ୟ ଲକଡାଉନ କରାଯାଇଛି। ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରାଯାଇଥିଲେ ହେଁ ଲୋକେ ଘରୁ ବାହାରି ବଜାର ରାସ୍ତା ଘାଟ ଉପରେ ଅଯଥା ଭିଡ଼ ଜମାଉଛନ୍ତି। ଏ ନେଇ ଲୋକମାନଙ୍କୁ ବାରମ୍ବାର ସଚେତନ କରାଇଲେ ମଧ୍ୟ ଅମାନିଆ ହୋଇ ଲୋକେ ବଜାରକୁ ଆସୁଥିବାରୁ ପାଟଣା ଥାନା ଅଧିକାରୀଙ୍କ ପକ୍ଷରୁ ଅଭିନବ ଉପାୟରେ ସଚେତନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ପୁଲିସ ଉକ୍ତ ଅମାନିଆ ବ୍ୟକ୍ତିଙ୍କ ହାତରେ ଫ୍ଲାଇ କାର୍ଡ ଧରାଇ “ମୁଁ ସ୍ୱାର୍ଥପର” ମୁଁ ବୁଲିବା ଚକ୍କରରେ ଦେଶକୁ ବିପଦକୁ ଠେଲି ପାରେ, ଆଉ ଏଥି ପାଇଁ ମୁଁ ଅନୁତପ୍ତ ବି ନୁହେଁ’ ଲେଖି ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଛଡ଼ାଯାଉଛି। ତେବେ ଏହା ଦ୍ୱାରା ସାଧାରଣରେ ସଚେତନତା ବଢ଼ିବା ସହ ଲୋକେ ସତର୍କ ହେବେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏଥିସହ ଅମାନିଆ ବ୍ୟକ୍ତି ନିୟମକୂ ଉଲଂଘନ କଲେ, ବିନା କାରଣରେ ଘରୁ ବାହାରିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପାଟଣା ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ଜେନା ସୂଚନା ଦେଇଛନ୍ତି।