ଧାରଣାରେ ବସି ଚେତା ଶୂନ୍ୟ ହେଲେ ମହିଳା

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ କାର୍ଯ୍ୟାଳୟ ସାମ୍ନାରେ ନ୍ୟାୟ ସକାଶେ ଧାରଣାରେ ବସିଥିବା ଜଣେ ଏସଏଚ ଜି ଗ୍ରୁପର ମହିଳା ଆଜି ସନ୍ଧ୍ୟାରେ ସଂଜ୍ଞାହୀନ ହୋଇ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଉକ୍ତ ମହିଳା ହେଲେ ଡୁମୁରିଆ ପଞ୍ଚାୟତ ମହିଳା ଏସ ଏଚ ଜି ଗ୍ରୁପର ପଞ୍ଚାୟତ ସ୍ତରୀୟ ସଭାପତି ଅଞ୍ଜନା ସେଠୀ । ବୁଧବାର ବ୍ଲକର ୧୦ରୁ ଉର୍ଦ୍ଧ୍ୱ ଏସଏଚ ଜି ଗ୍ରୁପର ୪୦ରୁ ଉର୍ଦ୍ଧ୍ୱ ମହିଳାମାନଙ୍କ ମଧ୍ୟରେ ଚାପା ଉତେଜନା ଲାଗିରହିଛି।

ଖବର ଅନୁଯାୟୀ, ଗତକାଲି ଅପରାହ୍ନରେ ପାଟଣା ରେଞ୍ଜ ହାତୀନୋଟା ଗ୍ରାମ ନିକଟରୁ ପାଟଣା ବନ ବିଭାଗ ଏକ ସିମିଳି ପଟା ବୋଝେଇ ବାଇକ ସହ ୧୮ ସିମିଳି ପଟାକୁ ଜବତ କରିଥିଲେ। ବୁଧବାର ସକାଳୁ ଡୁମୁରିଆ ପଞ୍ଚାୟତର ସ୍ୱର୍ଣ୍ଣ ଲକ୍ଷ୍ମୀ, ମା’ ଶାରଳା ଓ ମା’ ମଙ୍ଗଳା ଏସ ଏଚ ଜି ଗ୍ରୁପର ୩୦ରୁ ଉର୍ଦ୍ଧ୍ୱ ମହିଳା ଏସଏଚ ଜି ଗ୍ରୁପର ପଟା ଛାଡିବା ଦାବିରେ ରେଞ୍ଜ ଅଫିସ ସମ୍ମୁଖରେ ଧାରଣାରେ ବସିଥିବା ବେଳେ ଆଜି ସନ୍ଧ୍ୟାରେ ଅଞ୍ଜନା ସେଠୀ ଗୁରୁତର ହୋଇ ସଂଜ୍ଞା ହୀନ ହୋଇ ପଡିଥିଲେ। ତାଙ୍କୁ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଜୀବିକା ମିଶନ ତରଫରୁ ଏହି ୩ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ୧ ଲକ୍ଷ ୩୦ ହଜାର ଟଙ୍କାର ଋଣ ଯୋଗାଇ ଦିଆଯାଇଥିଲା। ଏଥିରେ ସେମାନେ ଶିମୁଳି ପଟା କିଣି ଛାତ ଘର ନିର୍ମାଣ କରୁଥିବା ଲୋକଙ୍କୁ ସେଣ୍ଟ୍ରିଙ୍ଗ ପାଇଁ ଭଡାରେ ପଟା ଯୋଗାଇ ଦେଉଥିଲେ। ଏନେଇ ପାଟଣା ରେଞ୍ଜର ପବିତ୍ର ମୋହନ ନାଏକଙ୍କ ପ୍ରତିକ୍ରିୟା ନେବାରୁ ବାଇକ ଓ ପଟା ଜବତ ହୋଇସାରିଛି। ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଏସବୁ ରିଲିଜ କରିହେବ ନାହିଁ ବୋଲି କହିଛନ୍ତି। ଅନ୍ୟ ପଟେ ମହିଳାମାନେ ନିଜ ନିଜ ଜିଦରେ ଅଟଳ ଥିବା ଜଣାପଡ଼ିଛି।