ରସିକିଆ ଜିଆରଏସଙ୍କ ରାସଲୀଳା

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଯମୁନାପଶି ପଞ୍ଚାୟତର ଜଣେ ଯୁବକଙ୍କ ହାତବନ୍ଧା ଫଟୋ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ଯୁବକ ଜଣଙ୍କ ହେଲେ ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର କାର୍ଯ୍ୟରତ ଜିଆରଏସ ଯତୀନ୍ଦ୍ର ମହାନ୍ତ। ମିଳିଥିବା ସୂଚନାନୁଯାୟୀ, ଯୁବକ ଜଣକ ଗତକାଲି ବିଳମ୍ବିତ ରାତିରେ ବରୁଡ଼ିପଶି ଗ୍ରାମର ଜଣେ ବିବାହିତ ମହିଳାଙ୍କ ଘରେ ମନ୍ଦ ଉଦ୍ଦେଶ୍ୟ ରଖି ପଶିଥିଲେ। ଏହା ପରିବାର ଲୋକେ ଜାଣିବା ପରେ ଯୁବକଙ୍କୁ ଘରେ ହାତ ବାନ୍ଧି ଅଟକ ରଖିଥିଲେ। ଖବରପାଇ ବାହାରେ ରହୁଥିବା ଜନୈକ ମହିଳାଙ୍କ ସ୍ୱାମୀ ଘରେ ପହଁଚିବା ପରେ ଗ୍ରାମବାସୀ ଓ ପରିବାର ଭିତରେ ଆପସ ବୁଝାମଣା ହୋଇଥିବା ଜଣାପଡ଼ିଛି। ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ। ପୂର୍ବରୁ ଏହି ଜିଆରଏସ ଜଣଙ୍କ ଉକ୍ତ ଅଞ୍ଚଳରେ ବିବାହିତା ମହିଳାଙ୍କୁ ଘର ଯୋଗାଇ ଦେବାର ଲୋଭ ଦେଖାଇ ନିଜ ପ୍ରେମ ଜାଲରେ ଫସାଇ ଅନୈତିକ ସମ୍ପର୍କ ରଖୁଥିବା ଗ୍ରାମବାସୀ ମତପ୍ରକାଶ କରିଛନ୍ତି। ଏଥି ସହିତ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଉକ୍ତ ଜିଆରଏସ କୋଭିଡ-୧୯ର କାର୍ଡ ଦେଖାଇ ଲୋକଙ୍କୁ ଥାନାର ଭୟ ଦେଖାଉଛନ୍ତି। ତେବେ ସମ୍ପୃକ୍ତ ଜିଆରଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର୍ଯ୍ୟରୁ ନିଲମ୍ବିତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।