ଡାକ୍ତର ନଥିବାରୁ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ରୋଗୀ, ଉତ୍ତେଜନା

  • ପାଟଣା, ଏନଏନଏସ: ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠି ଡାକ୍ତର ନାହାନ୍ତି ତ କେଉଁଠି ଡାକ୍ତର ଥାଇ ମଧ୍ୟ ସ୍ୱାସ୍ଥସେବାରୁ ବଞ୍ଚିତ ହେଉଛନ୍ତି କେନ୍ଦୁଝର ବାସୀ। ତେବେ ଡାକ୍ତର ନଥିବାରୁ ବୁଧବାର ଅପରାହ୍ନରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ଦେଖାଦେବା ସହ ରୋଗୀଙ୍କ ସମ୍ପର୍କୀୟ ଡାକ୍ତର ଉପସ୍ଥିତ ରହୁନଥିବା ଅଭିଯୋଗ ଆଣି ହୋହାଲ୍ଲା କରିଥିଲେ। ସୂଚନା ଅନୁସାରେ, ବୁଧବାର ୩ଟା ସମୟରେ ଦୁର୍ଘଟଣାରେ ଗୁରୁତର ହୋଇ ୨ ଜଣ ରୋଗୀ ଏବଂ ଡିଆନାଳି ଗ୍ରାମର ଜଳେଶ୍ୱରୀ ସୋରେନ ନାମକ ଜଣେ ରୋଗୀ ଗୁରୁତର ହୋଇ ଆସିଥିଲେ। କିନ୍ତୁ ମେଡିକାଲରେ ଡାକ୍ତର ନଥିବାରୁ ଠିକ୍ ସମୟରେ ଚିକିତ୍ସା ପାଇ ପାରିନଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ଡାକ୍ତର ନଥିବାରୁ ମେଡ଼ିକାଲ ପରିସରରେ ରୋଗୀଙ୍କ ସମ୍ପର୍କୀୟ ମାନେ ହୋହାଲ୍ଲା କରିଥିଲେ। ଦୀର୍ଘ ସମୟ ଅପେକ୍ଷା ପରେ ଘଟଣାସ୍ଥଳରେ ଡୁମୁରିଆ ଡାକ୍ତର ପହଞ୍ଚିବା ପରେ ସ୍ଥିତି ସ୍ୱାଭାବିକ ହୋଇ ସ୍ୱାସ୍ଥ୍ୟସେବା ଆରମ୍ଭ ହୋଇଥିଲା। ଏ ସମ୍ପର୍କରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଅଧିକାରୀ ଡ଼ ଶୁଭେନ୍ଦୁ ସାଗର କୁମାର ନାଏକଙ୍କୁ ପଚାରିବାରୁ, ସେ ନିଜେ ଏବଂ ଅନ୍ୟ ଜଣେ ଡକ୍ଟରଙ୍କ ସହ କେନ୍ଦୁଝରକୁ ଭେଣ୍ଟିଲେଟର ବ୍ୟବହାର ପ୍ରଣାଳୀ ଉପରେ ଟ୍ରେନିଂ ନେବାକୁ ଯାଇଥିବାରୁ ଡିଏମଫପାଣ୍ଠି ରୁ ନିୟୋଜିତ ହୋଇଥିବା ଡ଼ଃ ଅର୍ଜୁନ କୁମାର ପଣ୍ଡା ସବିତା ମହାନ୍ତିଙ୍କୁ ଜରୁରୀ କାଳୀନ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ଉଭୟ ଦୁଇଜଣ ଡକ୍ଟର ଅନୁପସ୍ଥିତ ଯୋଗୁଁ ଏଭଳି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା କହିଛନ୍ତି।