କାନ୍ଧରେ ନାଗାବଳୀ ପାରହୋଇ ମେଡିକାଲ ଗଲେ ରୋଗୀ

ରାୟଗଡ଼ା,ଏନ୍ଏନ୍ଏସ୍: ପୋଲନଥିବା ଯୋଗୁଁ ଅସୁସ୍ଥ ଯୁବକକୁ କାନ୍ଧରେ ବୋହି ନଦୀ ପାର କଲେ ଗ୍ରାମବାସୀ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କେରେଡ଼ା ପଞ୍ଚାୟତର ଖିଲିମିଶିଗୁଡ଼ା ଗ୍ରାମରେ। ଗ୍ରାମର ଜଣେ ଯୁବକ ହଠାତ ଅସୁସ୍ଥ ହୋଇ ପଡ଼ିବା ପରେ ଗ୍ରାମବାସୀ ନିରୁପାୟ ହୋଇ ଯୁବକଙ୍କୁ କାନ୍ଧରେ ବୋହି ଭରା ନଈ ପାର ହୋଇ ମେଡିକାଲକୁ ନେଇଛନ୍ତି। ନାଗାବଳୀ ନଦୀ ଆରପାରିରେ ଥିବା ଏହି ଗାଁକୁ ରାସ୍ତା ନଥିବାରୁ ନଦୀ ପାର ହୋଇଯିବାକୁ ପଡିଥାଏ।

ନିର୍ମାଣାଧୀନ ବ୍ରିଜଟି ବହୁ ଦିନରୁ ଅଧାପନ୍ତରିଆ ଭାବେ ରହିଥିବାରୁ ଲୋକଙ୍କୁ ଅନେକ ସମୟରେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଖିଲିମିଶିଗୁଡ଼ା ଗ୍ରାମର ୧୪ ବର୍ଷୀୟ ସାଗର ପୁଆଲା ନାମକ ଜଣେ ଯୁବକଙ୍କୁ ଗତକାଲି ରାତ୍ରିରେ ଭୀଷଣ ଜ୍ୱର ହୋଇଥିଲା। ଅନ୍ଧାର ରାତିରେ ନାଗାବଳୀ ନଦୀ ପାର ହୋଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜେମାଦେଇପେଣ୍ଠକୁ ଯିବା ସମ୍ଭବ ନହେବାରୁ ଆଜି ସକାଳେ ପରିବାର ବର୍ଗ ଓ ଗ୍ରାମବାସୀଙ୍କ ସହଯୋଗରେ କାନ୍ଧରେ ବୋହି ବୋହି ନାଗାବଳୀ ନଦୀ ପାର ହୋଇ ଚିକିତ୍ସାଳୟକୁ ନିଆଯାଇଥିଲା। ରୋଗୀ ସମେତ ତାଙ୍କୁ କାନ୍ଧରେ ବୋହି ନେଉଥିବା ସମସ୍ତଙ୍କ ଜୀବନ ଯେମିତି ନାଗାବଳୀ ନଦୀରେ ବାଜି ଲାଗିଥିଲା।

ଶେଷଖାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖିଲିମିଶିଗୁଡ଼ା ଗ୍ରାମକୁ ଗମନାଗମନ ପାଇଁ ପକ୍କା ରାସ୍ତାଟିଏ ନାହିଁ। ଗ୍ରାମ୍ୟ ବିଭାଜନ ବିଭାଗ ପକ୍ଷରୁ ଶେଷଖାଲଠାରେ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି। କିନ୍ତୁ ବ୍ରିଜ ନିର୍ମାଣ ମନ୍ଥର ଗତିରେ ଚାଲୁଥିବାରୁ ପ୍ରଖର ସ୍ରୋତରେ ପ୍ରବାହିତ ହେଉଥିବା ନାଗାବଳୀ ନଦୀରେ ନିଜ ଜୀବନକୁ ବାଜି ଲଗେଇ ବର୍ଷ ବର୍ଷ ଧରି ଗ୍ରାମବାସୀମାନେ ଯାତାୟାତ କରୁଛନ୍ତି। କେବଳ ଗ୍ରାମବାସୀ ନୁହଁନ୍ତି ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଷ୍ଟାଫ ଓ ଏଏନ୍ଏମ୍ ମଧ୍ୟ ଭରା ନଦୀରେ ପାର ହୋଇ ମାସକୁ ୨ଥର ଯାଇ ଗାଁ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ତେବେ ୨୦୨୧ ମେ ସୁଦ୍ଧା ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ମଣ୍ଡଳ ପ୍ରକାଶ କରିଛନ୍ତି।