୧୭ କିମି ଭାରରେ ବୁହାହେଲେ ରୋଗୀ

ମୁନିଗୁଡ଼ା,୩୦ା୮/ଏନ୍ଏନ୍ଏସ୍: ଆମ୍ବୁଲାନ୍ସ ସହ ଯୋଗାଯୋଗ ସମ୍ଭବ ନହେବାରୁ ଜଣେ ରୋଗୀଙ୍କୁ ୧୭ କିମି ରାସ୍ତା ଭାରରେ ବୋହି ଅଣିବାକୁ ପଡ଼ିଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ୍ ମୁନିଖୋଲ ପଞ୍ଚାୟତର ନିୟମଗିରି ପାର୍ବତ୍ୟାଞ୍ଚଳରେ ଥିବା ବଡ଼ଡେଙ୍ଗୁଣୀ ଗାଁରେ।
ସୂଚନାଥାଉ କି, ବଡ଼ଡେଙ୍ଗୁରୀ ଗାଁ ନିୟମଗିରି ପାହାଡ଼ର ଶୀର୍ଷ ଦେଶରେ ଅବସ୍ଥିତ। ଏଠାରୁ ମୁନିଗୁଡ଼ା ସ୍ୱାସ୍ଥ୍ୟକେନ୍ଦ୍ରର ଦୂରତା ପ୍ରାୟ ୧୭ କିଲୋମିଟର। ଏହି ଗାଁର ଶିକୋକା ହୁଣ୍ଡାଡ଼ି ନାମକ ଜଣେ ମହିଳା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ପୂର୍ବରୁ ସ୍ୱାସ୍ଥ୍ୟକେନ୍ଦ୍ରରୁ ଦୁଇଥର ଔଷଧ ନେଇଥିଲେ ମଧ୍ୟ ଆଜି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇନଥିଲା। ପରେ ପାହାଡ଼ ତଳକୁ ଆସି ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। କିଛି ଉପାୟ ନପାଇ ୱାର୍ଡ ସଭ୍ୟ ରେଳି ଶିକାକୋ, ଶେତୃ ଶିକାକୋ, ରିକଚା ଚିକାକୋ ଓ କାଙ୍ଗୁ ଶିକାକୋଙ୍କ ସହାୟତାରେ ଗଛର ଡାଳ ଭାଙ୍ଗି ଭାର ପ୍ରସ୍ତୁତ କରାଯାଇଥିଲା। ଏହି ଭାର ସାହାଯ୍ୟରେ ମହିଳାଙ୍କୁ ନେବାର ବନ୍ଦୋବସ୍ତ କରାଯାଇଥିଲା। ଦୀର୍ଘ ୧୫ କିମି ପଥୁରିଆ ରାସ୍ତା ଅତିକ୍ରମ କରି ମୁନିଗୁଡ଼ା ମୁଖ୍ୟ ବଜାର ଦେଇ ୨ କିଲୋମିଟର ଯିବା ପରେ ରୋଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ôଚଥିଲେ। ତେବେ ଏପରି ଘଟଣା ପାଇଁ ସ୍ଥାନୀୟ ଲୋକେ ସରକାରଙ୍କୁ ଦାୟୀ କରିଛନ୍ତି। ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ବାଟବଣା ହୋଇଥିବାବେଳେ ଳୋକେ ଗୁଣିଗାରେଡ଼ି ଆଦିକୁ ଭରଷା କରୁଥିବା ଅଭିଯୋଗ ହୋଇଛି।