ବୃଦ୍ଧଙ୍କୁ ୧କିମି ଷ୍ଟ୍ରେଚରରେ ବୋହିଲେ ଆମ୍ବୁଲାନ୍ସ କର୍ମଚାରୀ 

ଦେବଗଡ,ଏନଏନଏସ: ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ପାଇଁ ସରକାର ପଞ୍ଚାୟତ ଜରିଆରେ କୋଟି କୋଟି ଟଙ୍କ ଖର୍ଚ୍ଚ କରୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ଏହାର ସୁଫଳ ଗରିବ ଜନସାଧାରଣଙ୍କ ନିକଟରେ ପହଞ୍ଚିପାରୁନାହିଁ। ରାସ୍ତା ଓ ବିଜୁଳି ଆଲୁଅ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହୋଇ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ଗ୍ରାମର ଗ୍ରାମବାସୀ ଏଭଳି ଏକ ଚିତ୍ର ଦେଖିବାକୁ ମିଳୀଛି ବାରକୋଟ ବ୍ଲକ ବଂପରଡା ପଚାଂୟତ ଅନ୍ତର୍ଗତ ବୁଢାଖମଣ ଗ୍ରାମ ରେ।

ମିଳିଥିବା ସୂଚନା ଅନୁଯାୟୀ ବାରକୋଟ ବ୍ଲକ ବଂପରାଡ ପଚାଂୟତ ବୁଢାଖମଣ ଗ୍ରାମ ଗଉଡପଡା ବସ୍ତି ର ଉଚ୍ଚବ ନାଏକ (୮୦) ବାର୍ଦ୍ଦକ୍ୟ ଜନିତ କାରଣରୁ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ରାତ୍ରୀ ପ୍ରାୟ ୧୦ଟା ସମୟରେ ୧୦୮ ଆମ୍ବୁଲାନ୍ସ ଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ୧୦୮ ଆମ୍ବୁଲାନ୍ସ ଉକ୍ତ ଗ୍ରାମକୁ ପହଚିଂବାର ପ୍ରାୟ ୧କିଲୋମିଟର ପୂର୍ବରୁ ରାସ୍ତା ନଥିବାରୁ ସେଠାରେ ଅଟକି ଯାଇଥିଲା।

ଗୋଟିଏ ପଟେ ରାସ୍ତା ନଥିବା ବେଳେ ଅନ୍ୟପଟେ ବିଦ୍ୟୁତ ଆଲୋକ ନଥିବାରୁ ଆମ୍ବୁଲାନ୍ସ କର୍ମଚାରୀ ଅସୁସ୍ଥ ବୃଦ୍ଧ ଉଚ୍ଚବ ଙ୍କୁ ଷ୍ଟ୍ରେଚର ଯୋଗେ ପ୍ରାୟ ୧ କିମି ରାସ୍ତା ବୋହିଆଣିବା ପରେ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଗୋଟିଏ ପଟେ ସରକାରଙ୍କ ଗ୍ରାମାଞ୍ଚଳର ବିକାଶ ପାଇଁ ପଞ୍ଚାୟତକୁ ଅଖଣ୍ଡ କ୍ଷମତା ସହ ଅର୍ଥର ବ୍ୟବସ୍ଥା କରୁଥିଲେ ମଧ୍ୟ ପଞ୍ଚାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମୂଳ ପରିଦର୍ଶନ ହେଉ ନଥିବାରୁ ସରକାରୀ ଯୋଜନା ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଇଁ ତାତ୍ସଲ୍ୟ ସଦୃଶ୍ୟ ଦେଖାଦେଇଛି।