କରୋନା କଟକଣା ଯୋଗୁଁ ଗଡ଼ିଲାନି ରଥ, ଖାଁଖାଁ ବଡ଼ଦାଣ୍ଡ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏବର୍ଷ ରଥଯାତ୍ରା ଫିକା ପଡିଛି। ପ୍ରଶାସନ ଠାରୁ ଅନୁମତି ନେଇ ବ୍ଲକର ରାଜନଗର, ସୋରାସକେଲା ମଲ୍ଲୀପଶି କୁଣ୍ଡୁଳା, ଡୁମିରିଆ, ଟାଙ୍ଗର ପଡ଼ାରେ ଠାକୁରଙ୍କୁ ରଥକୁ ନେଇ ପୁଣି ଓହ୍ଲାଇ ଅଣାଯାଇଥିଲା। ସକାଳୁ ସକାଳୁ ଠାକୁରଙ୍କ ନୀତିକାନ୍ତି ପରେ କେବଳ ମନ୍ଦିର ଭିତରେ ହିଁ ରଥଯାତ୍ରା ପାଳନ ହୋଇଥିଲା। ବ୍ଲକର ମଲ୍ଲୀପଶିରେ ରଥ ନିର୍ମାଣ ହୋଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ପ୍ରଶାସନ ଠାରୁ ଅନୁମତି ନ ମିଳିବାରୁ ଭକ୍ତ ନିରାଶ ହୋଇଛନ୍ତି। ସ୍ନାନମଣ୍ଡପରେ ତିନି ଠାକୁରଙ୍କୁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ବିଗତ ବର୍ଷରେ ହଜାରହଜାର ଭକ୍ତଙ୍କ ଭିଡ଼ ସହିତ ହରିବୋଲ ହୁଳହୁଳିରେ ଅଞ୍ଚଳ ପ୍ରକମ୍ପିତ ହୋଇଉଠେ ସେହି ବଡ଼ଦାଣ୍ଡ ଏବର୍ଷ ଖାଁଖାଁ ହୋଇଥିବା ଦେଖିବାକୁ ମିଳିଥିଲା।