ସାନଭାଇ ହାତୁଡି ମାଡ଼ରେ ଭାଇ ଓ ଭାଉଜ ଗୁରୁତର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ମାଛଗଡ଼ ଗାଁରେ ସାନ ଭାଇର ହାତୁଡି ମାଡ଼ରେ ବଡ଼ ଭାଇ ଓ ଭାଉଜ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବଡ଼ଭାଇ ନୀଳେନ୍ଦ୍ର ପାଟଣା ଥାନାରେ ସାନ ଭାଇ ଶରତଙ୍କ ନାମରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ସୋମବାର ସକାଳେ ଉଭୟ ସ୍ୱାମୀ ସ୍ତ୍ରୀ, ନିଜ ବିଲାତି ବାଡ଼ିରେ ପାଣି ଦେଉଥିବା ବେଳେ ସାନ ଭାଇ ଶରତ ଆସି ବାପା ମା’ଙ୍କୁ ଗାଳିଗୁଲଜ କରିଥିଲା ।

ଏହାକୁ ନୀଳେନ୍ଦ୍ରଙ୍କ ସ୍ତ୍ରୀ ରତ୍ନମଞ୍ଜରୀ ବିରୋଧ କରିବାରୁ ଶରତ ତାଙ୍କୁ ହାତୁଡିରେ ଆକ୍ରମଣ କରିଥିଲା । ନୀଳେନ୍ଦ୍ର ଛଡ଼ାଇବାକୁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ଶରତ। ଫଳରେ ନିଳେନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅନ୍ୟପକ୍ଷରେ ହାତୁଡିମାଡ଼ରେ ରତ୍ନମଞ୍ଜରୀଙ୍କ ଡାହାଣ ହାତ ଭାଙ୍ଗିଥିବା ଜଣାପଡ଼ିଛି। ଉଭୟ ଗୁରୁତର ଅବସ୍ଥାରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ହେବାପରେ ପାଟଣା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।