ବଣ୍ଡା ଜନଜାତିଙ୍କ ପାଟଖଣ୍ଡା ଯାତ୍ରା ସମ୍ପନ୍ନ ଜିଲ୍ଲା By Nitidin Last updated Feb 4, 2020 Share ମାଲକାନଗିରି,ଏନ୍ଏନ୍ଏସ୍ : ଇତିହାସର ଆଇନାରେ ଆମେ ଦେଖୁ ମାଲକାନଗିରି ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ବହୁପ୍ରାଚୀନ। ଅତୀତରେ ମାଲ୍ୟବନ୍ତ ନାମରେ ଯାହା ଖ୍ୟାତ ଥିଲା, ଆଜି ତାହା ମାଲକାନଗିରି ଜିଲ୍ଲା ଭାବେ ପରିଚିତ। ଯେଉଁମାଟିରେ ପ୍ରଭୂ ରାମଚନ୍ଦ୍ର ବନବାସ କରିଥିଲେ। ସେହି ପବିତ୍ର ମାଟିରେ ଆଦିମ ଜନଜାତି ବଣ୍ଡା, ଡିଡାୟୀ , କୋୟା ସ୍ୱସଂସ୍କୃତିରେ ମଳିୟାନ। ଅତୀତରେ ମାଲ୍ୟବନ୍ତ ନାମରେ ନିଜକୁ ବିଶ୍ୱବ୍ୟାପି କରିଥିବା ମାଲକାନଗିରି ଜିଲ୍ଲାର ବଣ୍ଡା ଜନଜାତି ସୃଷ୍ଟି କରିଛି, ନୂତନ ପରିଚୟ। ଏହି ବଣ୍ଡା ଜନଜାତି ଗତକାଲି ପାଳନ କରିଛନ୍ତି, ସେମାନଙ୍କର ମୂଖ୍ୟ ପର୍ବ ପାଟଖଣ୍ଡା ଯାତ୍ରା। ସମୁଦ୍ର ପତନଠାରୁ ୫ ହଜାର ଫୁଟ ଉଚ୍ଚରେ ଥିବା ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ାଠାରେ ବାସ କରନ୍ତି, ପ୍ରାୟ ୫୬୬୫ ଜଣ ବଣ୍ଡା ଜନଜାତିର ଲୋକେ। ଏହି ଜନଜାତିର ସଂସ୍କୃତି ଓ ପରମ୍ପରା ଯେତିକି ପୁରୁଣା, ସେତିକି ପୁରୁଣା ଏମାନଙ୍କର ଐତିହ୍ୟ। ସର୍ବପରି ଏହି ଜନଜାତିର ରହିଛି ଅନେକ ପର୍ବପର୍ବାଣୀ। ସେଥିମଧ୍ୟରୁ ଏହି ପାଟଖଣ୍ଡା ଯାତ୍ରା ଅନ୍ୟତମ। ଏହି ଯାତ୍ରା ପ୍ରତ୍ୟେକ ବର୍ଷ ମାଘମାସ ଶୁକ୍ଲ ପକ୍ଷରେ ପାଳିତ ହୋଇଥାଏ। ପ୍ରତ୍ୟେକ ବର୍ଷ ଭଳି ଚଳିତବର୍ଷ ହର୍ଷଉଲ୍ଲାସ ମଧ୍ୟରେ ଏହି ଯାତ୍ରା ପାଳିତ ହୋଇଯାଇଛି। ଚଳିତବର୍ଷ ବଣ୍ଡାଘାଟିର ୧୨ଟି ଗ୍ରାମର ମୂଖିଆମାନେ ପ୍ରତ୍ୟେକ ଘରୁ ଧାନ ସଂଗ୍ରହ କରି ଆଣିଛନ୍ତି। ଦୁଲିପଡ଼ାଠାରେ ଗୋଟିଏ ସ୍ଥାନରେ ସମବେତ ହୋଇ ପାରମ୍ପରୀକ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ବରଗଛ ପର୍ଯ୍ୟନ୍ତ ଯାଇଥିଲେ। ପରେ ସେହି ବରଗଛ ଶୀର୍ଷରେ ଲୁକ୍କାୟିତ ଅବସ୍ଥାରେ ରଖାଯାଇଥିବା ଖଣ୍ଡା ବା ଖଡ଼ଗକୁ ବାହାର କରି ଏହି ଖଣ୍ଡା ଓ ଚଳିତ ବର୍ଷର ସଂଗୃହିତ ହୋଇ ଆସିଥିବା ନୂତନ ଧାନକୁ ପାରମ୍ପରୀକ ରିତିନିତି ଅନୁଯାୟୀ ପୂଜାକରିବା ପରେ ପୂଣି ଗଛ ଶୀର୍ଷରେ ଲୁକ୍କାୟିତ ଭାବେ ରଖାଯାଇଥିଲା। ପରେ ପୁଣି ଗ୍ରାମକୁ ଫେରି ମୂଖ୍ୟ ପୂଜକ ପୂଜା ହୋଇଥିବା ନୂଆ ଧାନକୁ ୧୨ ଟିଗ୍ରାମର ଗ୍ରାମ ମୂଖିଆମାନଙ୍କୁ ବାଂଟିଥିଲେ। ଏଠାରୁ ଗ୍ରାମ ମୂଖିଆମାନେ ସେହି ବିହନକୁ ଗ୍ରାମକୁ ନେଇ ପ୍ରତ୍ୟେକ ପରିବାରକୁ ବାଂଟିବେ। ପରେ ଗ୍ରାମବାସୀମାନେ ପାରମ୍ପରୀକ ଗୀତ ନାଚର ତାଳେ ତାଳେ ଧାନ ବିହନ ବୁଣି ଚଳିତବର୍ଷର ଚାଷ କାର୍ଯ୍ୟ ଆରମ୍ଭ କରିବେ। ଏହି ଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। ଏହି ଯାତ୍ରା ବହୁ ଉତ୍ସାହ ଓ ଉଦ୍ଦିପନା ମଧ୍ୟରେ ପାଳିତ ହୋଇଥାଏ। ତେଣୁ ଆମେ ପ୍ରତ୍ୟେକ ବର୍ଷ ଏହି ଯାତ୍ରା ଦେଖିବାକୁ ଆସିଥାଉ ବୋଲି ମାଥିଲିର ତ୍ରିଲୋଚନ ମିଶ୍ର ପ୍ରକାଶ କରିଛନ୍ତି। ଆମ ବାପା, ଜେଜେ ବାପା ଅମଳରେ ଏହି ଯାତ୍ରା ଯେଉଁ ରିତିନିତି ଅନୁଯାୟୀ ପାଳନ ହେଉଥିଲା, ଆମେ ମଧ୍ୟ ଠିକ ସେହିଭଳି ଆମେ ପାଳନ କରୁଛୁ ଓ ଏଠାରେ ବିହନ ପୂଜାର୍ଚ୍ଚନା ପରେ ସେହି ବିହନକୁ ଆମ ଘରର ବିହନ ସହ ମିଶାଇ ଆମେ ଚାଷ କାର୍ଯ୍ୟ ଆରମ୍ଭ କରିଥାଉ। ଏହି ଯାତ୍ରା କରିବା ଦ୍ୱାରା ଗ୍ରାମବାସୀ ଓ ଗୃହପାଳିତ ପଶୁଙ୍କୁ କୌଣସି ଅସୁବିଧା ହୁଏ ନାହିଁ ବୋଲି ବିଶ୍ୱାସ ରହିଛି ବୋଲି ମୁଦୁଲିପଡ଼ାର ଗୁରୁ କିରସାନି ପ୍ରକାଶ କରିଛନ୍ତି। Share