ଦୁଇ ଥର ଉଦ୍‌ଘାଟନ ପରେ ବି ଅସମ୍ପୂର୍ଣ୍ଣ ପାଟ ଘର; ୧.୨୧ କୋଟିରେ ନିର୍ମିତ, ମାସକରେ ଉତ୍ପାଦ ୩ ଶାଢ଼ୀ

ବ୍ରହ୍ମପୁର,ଏନ୍‌ଏନ୍‌ଏସ୍‌: ବହୁ ପୁରାତନ ଐତିହ୍ୟ ସମ୍ପନ୍ନ ବ୍ରହ୍ମପୁରୀ ପାଟର ସ୍ଥିତିକୁ ବଞ୍ଚାଇ ରଖିବା ସହ ଶତାଧିକ ପାଟ ବୁଣାକାରଙ୍କୁ ଥଇଥାନ ଲକ୍ଷ୍ୟରେ କେନ୍ଦ୍ର, ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାପିତ ‘ପାଟଘର’ ଲକ୍ଷ୍ୟଭ୍ରଷ୍ଟ ହୋଇଥିବା ପରିଲକ୍ଷିତ ହୋଇଛି। ପ୍ରାୟ ଏକ କୋଟି ୨୧ ଲକ୍ଷ ଟଙ୍କା ବିନିମୟରେ ‘ସ୍ଫୁତ୍ତି’ର ଯୋଜନାରେ ନିର୍ମିିତ ଏହି ଅନୁଷ୍ଠାନଟି ଦୁଇ ଥର ଉଦ୍‌ଘାଟନ ହୋଇଛି। ତଥାପି ଅସମ୍ପୂର୍ଣ୍ଣ ସ୍ଥିତିରେ ରହିଛି। ଏଯାବତ୍ ଅନୁଷ୍ଠାନଟିକୁ ସ୍ଥାୟୀ ଭାବେ ବିଦ୍ୟୁତ୍ ଯୋଗାଣ ହୋଇନି। ଫଳରେ ବାରମ୍ବାର ବିଦ୍ୟୁତ୍ ସଂଯୋଗ ବିଛିନ୍ନ ହେଉଛି। ବୁଣା କାର୍ଯ୍ୟରେ ବିଘ୍ନ ସୃଷ୍ଟି ହେଉଛି। ଫଳରେ ମାସକ ମଧ୍ୟରେ ମାତ୍ର ୩ଟି ଶାଢ଼ୀ ବୁଣାଯାଇଥିବା ସୂଚନା ମିଳିଛି।

ସୂଚନା ଯୋଗ୍ୟ ଯେ ଗତ ମାସ ୧୧ରେ ଏହି “ପାଟଘର’କୁ ବ୍ରହ୍ମପୁର ସାଂସଦ, ବିଧାୟକ, ବିଏମ୍‌ସି ମେୟର, ଗଞ୍ଜାମ ଜିଲ୍ଳାପାଳ, ବିଏମ୍‌ସି କମିଶନର, ବ୍ରହ୍ମପୁର ଉପ ଜିଲ୍ଳାପାଳଙ୍କ ସମେତ କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରାଯାଇଥିଲା। କିନ୍ତୁ ଆଭାସୀ ମୋଡ୍‌ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୨୦୨୧ ମସିହା ଡିସେମ୍ବର ୧୨ରେ ଉଦ୍‌ଘାଟନ କରିସାରିଛନ୍ତି। ଏତେ ପର୍ବ ପାଳିତ ହେବା ପରେ ବି ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଏଯାବତ୍ ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇପାରିନାହିଁ। ଏଠାରେ ୧୦ଟି ଏସ୍‌ଏଚ୍‌ଜି ମହିଳା ଗ୍ରୁପର ଶତାଧିକ ମହିଳା ପାଟ ବୁଣି ଆର୍ଥିକ ଭାବେ ଥଇଥାନ ହେବେ ବୋଲି କୁହାଯାଇଥିଲା। କିନ୍ତୁ ଏଯାବତ୍ ଏଠାରେ ଆନୁସଙ୍ଗିକ ବ୍ୟବସ୍ଥା ହୋଇପାରିନଥିବାରୁ ସମ୍ପ୍ରତି ଏଠାରେ ଦୁଇ ଜଣ ମହିଳା ବୁଣକାର କାର୍ଯ୍ୟ କରୁଥିବା ବେଳେ ଜଣେ ଡିଜାଇନର କାର୍ଯ୍ୟର ପର୍ଯ୍ୟବେକ୍ଷଣ କରୁଛନ୍ତି।

ଶୁଭାରମ୍ଭର ମାସକ ମଧ୍ୟରେ ଶହେରୁ ଊର୍ଦ୍ଧ୍ୱ ପାଟ ଶାଢ଼ୀ ପ୍ରସ୍ତୁତ କରିବୁ ବୋଲି କହିଥିବା ବେଳେ ଏଯାବତ୍ କେବଳ ମାତ୍ର ୩ଟି ଶାଢ଼ୀ ପ୍ରସ୍ତୁତ ହୋଇପାରିଛି। କାରଣ ଏଠାରେ ପାଟସୁତାକୁ ରଙ୍ଗ କରିବା ପାଇଁ ପାଇପ ପାଣିର ଆବଶ୍ୟକତା ଥିବା ବେଳେ ଅଳ୍ପ କିଛି ଦିନ ପୂର୍ବେ ବୋରିଂ ଜଳ ଯୋଗାଣ ହୋଇଛି। ଏହା ରଙ୍ଗେଇବା ପାଇଁ ଅନୁପଯୁକ୍ତ ହୋଇପଡ଼ିଛି ବୋଲି ପର୍ଯ୍ୟବେକ୍ଷଣ ଦାୟିତ୍ୱରେ ଥିବା ଡିଜାଇନର ଜନାର୍ଦ୍ଦନ ରାଓ କହିଛନ୍ତି। ଫଳରେ ବାଧ୍ୟ ହୋଇ ସେ ନିଜେ ଘରୁ ସୁତାକୁ ରଙ୍ଗ କରିବା କାର୍ଯ୍ୟ କରୁଛନ୍ତି। ଏଠାରେ ସ୍ଥାୟୀ ବିଦ୍ୟୁତ୍ ଯୋଗାଣ ହୋଇନାହିଁ, ଫଳରେ ବାରମ୍ବାର କାର୍ଯ୍ୟ ବନ୍ଦ ହେଉଛି। ଦୁଇ ଜଣଙ୍କ କାମ ଗୋଟିଏ ମେସିନରେ କରିବା ପାଇଁ ଆଧୁନିକ ଜାକାର୍ଡ ମେସିନ ରହିଛି, କିନ୍ତୁ ବିଦ୍ୟୁତ୍ ନିରବଛିନ୍ନ ଭାବେ ଯୋଗାଣ କରିବା ପାଇଁ ଇନଭର୍ଟର ବ୍ୟବସ୍ଥା ହେବା ଜରୁରୀ।

ବିଡ଼ମ୍ବନାର ବିଷୟ ଯେଉଁଠି ଏକ କୋଟି ୨୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଏତେ ବଡ଼ ଯୋଜନାକୁ କାର୍ଯ୍ୟକାରୀ କରାଯାଇଛି। ସେଠି ଇନ୍‌ଭର୍ଟର ଭଳି ଛୋଟ ଆବଶ୍ୟକତାକୁ ପୂରଣ କରାଯାଇନାହିଁ। ବିଏମ୍‌ସି ପକ୍ଷରୁ ଜାଗା ଦିଆଯିବା ସାଙ୍ଗକୁ ଅନ୍ୟ ପଦକ୍ଷେପ ନିଆଯାଇଥିବା ବେଳେ ଦୁଇ ଥର ଉଦ୍‌ଘାଟନ ସତ୍ତ୍ୱେ ବି ଉଦଘାଟନର ମାସକ ପରେ ଏହି ଅନୁଷ୍ଠାନକୁ ସ୍ଥାୟୀ ବିଦ୍ୟୁତ୍ ଯୋଗାଣ କରାନଯିବା ଘଟଣା ପ୍ରଶାସନର ଖାମଖିଆଲି ମନୋଭାବକୁ ପଦାରେ ପକାଇଛି। ଶତାଧିକ ମହିଳା ପାଟ ବୁଣାକାରଙ୍କ ପାଇଁ ଏହା ଜୀବିକାର ଆଧାର ହୋଇଥିବା ବେଳେ ସେମାନେ କେବଳ ଅଧୁରା ସ୍ୱପ୍ନ ଦେଖୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏଠାରେ ପାଟ ବୁଣାକାରଙ୍କୁ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିବା ସହ ଏଠାରେ ଉତ୍ପାଦନ ହେବାକୁ ଥିବା ଶାଢ଼ୀର ବିକ୍ରି ପାଇଁ ଉଦ୍ୟମ କରୁଥିବା ର୍ପରିବର୍ତ୍ତନ’ ସଂସ୍ଥା ମାଲଏସିଆ ଦେଶ ଏବଂ ବେଙ୍ଗାଲୁରୁର ସଂସ୍ଥା ସହ ବୁଝାମଣା କରିଛନ୍ତି। କିନ୍ତୁ ଏଯାବତ୍ ଏଠାରେ ଶାଢ଼ୀର ଉତ୍ପାଦନର ବେଗ ଅତ୍ୟନ୍ତ ଧିମା ରହିଛି, ତେଣୁ ବ୍ୟାବସାୟିକ ଲକ୍ଷ୍ୟ ସାଧିତ ହୋଇପାରୁ ନଥିବା ଜଣାଇଛନ୍ତି ପରିବର୍ତ୍ତନର ନୋଡାଲ ଅଧିକାର ଶୁଭ୍ରାଂଶୁ ଭୁଷଣ ସ୍ମାଇଁ।

ଶତାଧିକ ମହିଳା ଏଠାରେ ନିଯୁକ୍ତି ପାଇବା ସ୍ଥାନରେ ହାତ ଗଣତିରେ ମହିଳା ନିଯୁକ୍ତ ହୋଇଛନ୍ତି। ଏମ୍‌ଏସଏମଇ ବିଭାଗ, ଜିଲ୍ଲା ପ୍ରଶାସନ, ବିଏମ୍‌ସି ତରଫରୁ ଏଠାରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ପଦକ୍ଷେପ ନ ନେଲେ ପାଟ ବୁଣାକାରଙ୍କୁ ଜୀବିକା ଯୋଗାଇବା କଷ୍ଟକର ହୋଇଯିବ ବୋଲି ମତ ପ୍ରକାଶ ପାଇଛି।