କ୍ରିକେଟକୁ ପ୍ରାର୍ଥୀବଙ୍କ ଅଲବିଦା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟ କିପର ପ୍ରାର୍ଥୀବ ପଟେଲ ୩୫ ବର୍ଷ ବୟସରେ କ୍ରିକେଟରୁ ଅବସର ନେଇଛନ୍ତି। ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ ମାଧ୍ୟମରେ ସେ ତାଙ୍କ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି। ୨୦୧୮ରେ ଶେଷଥର ଲାଗି ଟିମ୍ ଇଣ୍ଡିଆ ପାଇଁ ଖେଳିଥିବା ପ୍ରାର୍ଥୀବ ଏବେ କ୍ରିକେଟର କୌଣସି ଫର୍ମରେ ନଜର ଆସିବେ ନାହିଁ। ୨୦୦୨ରେ ମାତ୍ର ୧୭ ବର୍ଷ ବୟସେରେ ପ୍ରାର୍ଥୀବ ଇଂଲଣ୍ଡ ବିରୋଧରେ ଖେଳି କ୍ରିକେଟକୁ ପଦାର୍ପଣ କରିଥିଲେ। ପ୍ରାର୍ଥୀବ ଚଳିତ ବର୍ଷ ଆରସିବି ଟିମରେ ସାମିଲ ହୋଇଥିଲେ ମଧ୍ୟ ତାଙ୍କୁ ଗୋଟାଏ ବି ମ୍ୟାଚରେ ଖେଳିବାର ସୁଯୋଗ ମିଳିନଥିଲା।

୧୮ ବର୍ଷର ଲମ୍ବା କ୍ୟାରିୟର ପରେ କ୍ରିକେଟରୁ ସନ୍ୟାସ ନେଉଥିବା ପ୍ରାର୍ଥୀବ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି।ଏଥିସହିତ ଯେଉଁ ଅଧିନାୟକ ପାଇଁ ସେ ଟିମ୍ ଇଣ୍ଡିଆରେ ଖେଳିବାର ସୁଯୋଗ ପାଇଛନ୍ତି ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବିଶେଷ କରି ସୌରଭ ଗାଙ୍ଗୁଲୀ ତାଙ୍କୁ ସର୍ବଦା ସହଯୋଗ କରିଥିବାବେଳେ ତାଙ୍କ ଅଧୀନରେ ଖେଳି ନିଜକୁ ଧନ୍ୟ ମଣିଥିବା ପ୍ରାର୍ଥୀବ କହିଛନ୍ତି।

ସୂଚନାଯୋଗ୍ୟ, ପରିବାରକୁ ସମୟ ଦେବା ପାଇଁ ସେ କ୍ରିକେଟରୁ ଅବସର ନେଉଥିବା କଥା ଉଲ୍ଲେଖ କରିଛନ୍ତି। ପ୍ରାର୍ଥୀବ କହିଛନ୍ତି ଯେ, ‘କ୍ରିକେଟର ହିସାବରେ ମୁଁ ମୋ ଜୀବନ ଜିଇଁ ସାରିଛି ଆଉ ଏବେ ଜଣେ ପିତା ହିସାବରେ ମୁଁ ମୋ ଦାୟିତ୍ତ୍ୱ ସମ୍ପନ୍ନ କରିବାକୁ ଚାହୁଁଛି।’