ବିଧାନସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୮୦ ପ୍ରତିଶତ ଓ ଆସାମରେ ୭୩ ପ୍ରତିଶତ ମତଦାନ

ନୂଆଦିଲ୍ଲୀ,ଏଜେନ୍ସି: ପଶ୍ଚିମବଙ୍ଗ ଓ ଆସାମରେ ହେଉଥିବା ବିଧାନସଭା ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଯାଇଛି। ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ସାଢ଼େ ୬ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗରେ ୮୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଆସାମରେ ୭୩ ପ୍ରତିଶତ ମତଦାନ ହୋଇଛି। ସୂଚନା ଅନୁସାରେ ଆଜି ପଶ୍ଚିମବଙ୍ଗର ୩୦ଟି ବିଧାନସଭା ଆସନରେ ମତଦାନ ହେଉଥିବା ବେଳେ ଆସାମର ୪୭ ଆସନରେ ମତଦାନ ହୋଇଛି। ଏହାର ପଲ ମେ’ ୨ରେ ଜଣାପଡ଼ିବ।

ଆଜିର ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗର କେତେକ ସ୍ଥାନରେ ଇଭିଏମ ଖରାପ ଥିବା ଜଣାପଡ଼ିଥିଲା। ଏଥିସହିତ କିଛି ସ୍ଥାନରେ ହିଂସା ମଧ୍ୟ ହୋଇଥିଲା। ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଭାଇ ସୌମେନ୍ଦ୍ର ଅଧିକାରୀଙ୍କ କାର ଉପରକୁ ମଧ୍ୟ ଆକ୍ରମଣ ହୋଇଛି।

ସୂଚନା ଅନୁସାରେ ଆସାମର ୧୨୬ଟି ବିଧାନସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ଏପ୍ରିଲ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଓ ଏପ୍ରିଲ ୬ ତାରିଖରେ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ସେହିପରି ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ଆସନ ପାଇଁ ୮ଟି ପର୍ଯ୍ୟାୟରେ ମତଦାନ ହେବ। ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ, ଏପ୍ରିଲ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ, ଏପ୍ରିଲ ୬ରେ ତୃତୀୟ ପର୍ଯ୍ୟାୟ, ଏପ୍ରିଲ ୧୦ରେ ଚତୁର୍ଥ ପର୍ଯ୍ୟାୟ, ୧୭ ଏପ୍ରିଲରେ ପଞ୍ଚମ ପର୍ଯ୍ୟାୟ, ଏପ୍ରିଲ ୨୨ରେ ଷଷ୍ଠ ପର୍ଯ୍ୟାୟ, ଏପ୍ରିଲ ୨୬ରେ ସପ୍ତମ ପର୍ଯ୍ୟାୟ ଏବଂ ଏପ୍ରିଲ ୨୯ରେ ଅନ୍ତିମ ତଥା ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ।