ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିରୁ ୪ ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ନବୀନ ରାଜ୍ୟ By Nitidin Last updated Mar 7, 2020 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ଶନିବାର ନିଜର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୪ ପ୍ରାର୍ଥୀଙ୍କ ନାମ ଉପରେ ମୋହର ମାରିଛନ୍ତି। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତକୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି। ତେବେ ରାଜ୍ୟସଭା ପ୍ରାର୍ଥୀ ପାଇଁ ଆଶାୟୀ ଥିବା ବରିଷ୍ଠ ନେତା ରମେଶ ଚନ୍ଦ୍ରା ଚ୍ୟାୟୁ ପଟ୍ଟନାୟକଙ୍କୁ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ନୂତନ ଦାୟିତ୍ୱ ମିଳିଛି। ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନିତ ହୋଇଥିବା ସୁବାସ ସିଂ ଏହାର ଅଧ୍ୟକ୍ଷ ଭାବେ ଦୀର୍ଘଦିନ ହେବ ଦାୟିତ୍ୱ ତୁଲାଇ ଆସୁଥିଲେ। ସୂଚନା ଯୋଗ୍ୟ ଯେ ସୁବାସ ସିଂ ବର୍ତ୍ତମାନ ଓଡ଼ିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ଜଣେ ଶ୍ରମିକ ନେତା ଭାବେ ତାଙ୍କର ରାଜ୍ୟରେ ବେଶ ଖ୍ୟାତି ରହିଥିବା ବେଳେ ବିଜୁ ଶ୍ରମିକ ସାମୁଖ୍ୟ ସହ ସେ ମଧ୍ୟ ଜଡିତ ଅଛନ୍ତି। ସୁବାସ ନିଜର ରାଜନୈତିକ ଜୀବନ ବାମ ଦଳରୁ ଆରମ୍ଭ କରିଥିବା ବେଳେ ବିଜୁ ଜନତା ଦଳରେ ଯୋଗ ଦେଇ ବହୁ ଗୁରୁ ଦାୟିତ୍ୱ ବହନ କରିଛନ୍ତି। ସେହିପରି ଅନ୍ୟତମ ପ୍ରାର୍ଥୀ ମୁନା ଖାଁ ସଂଖ୍ୟାଲଘୁ ବ୍ୟାପାରର ଉପଦେଷ୍ଟା ଭାବେ କାର୍ଯ୍ୟ କରୁଛନ୍ତି। ଜଣେ ସଂଖ୍ୟା ଲଘୁ ନେତା ସର୍ବୋପରି ଓଡ଼ିଆ ସିନେ ଜଗତରେ ଜଣେ ଅଭିନେତା ଓ ସାମାଜିକ କର୍ମୀ ଭାବେ ତାଙ୍କର ବେଶ ଖ୍ୟାତି ରହିଛି। ସେହିପରି ଚିରାଚରିତ ଢ଼ଙ୍ଗରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେଡ଼ି ସୁପ୍ରିମୋ ନବୀନ ସୁଜିତ କୁମାରଙ୍କ ନାମରେ ମୋହର ମାରିଛନ୍ତି। ସୁଜିତ କୁମାର ବର୍ତ୍ତମାନ ରାଜ୍ୟ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ଥିବା ବେଳେ ଗତ ସାଧାରଣ ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାରେ ସେ ବିଜେଡ଼ିର ସାଂଗଠନିକ କାର୍ଯ୍ୟ ବୁଝୁଥିଲେ। ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ମଧ୍ୟ ସୁଜିତଙ୍କୁ ନିର୍ବାଚନ ପରିଚାଳନାରେ ପ୍ରମୁଖ ଦାୟିତ୍ୱ ମିଳିଥିଲା। ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟରେ ସେ ଏମବିଏ କରିଥିବା ବେଳେ ହାୱାର୍ଡ ବିଶ୍ୱ ବିଦ୍ୟାଳୟରୁ ପବ୍ଲିକ୍ ଆଡମିନଷ୍ଟ୍ରେସନରେ ଏମଏ କରିଛନ୍ତି। ସେହିପରି ୪ ପ୍ରାର୍ଥୀଙ୍କ ମଧ୍ୟରୁ ଏକ ମାତ୍ର ମହିଳା ପ୍ରାର୍ଥୀ ଭାବେ ନବୀନ ମମତା ମହାନ୍ତଙ୍କ ନାମ ଉପରେ ମୋହର ମାରିଛନ୍ତି। ରାଜ୍ୟ ସଭାରେ ସାଂସଦ ଥିବା ଏକମାତ୍ର ମହିଳା ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମମତା ମହିଳା ଭାବେ ତାଙ୍କ ସ୍ଥାନ ନେଇଥିବା କୁହାଯାଉଛି। ମମତା ବର୍ତ୍ତମାନ ମୟୁରଭଞ୍ଜ ଜିଲ୍ଲା ବିଜେଡି ମହିଳା ମୋର୍ଚ୍ଚା ସଭାପତି ଥିବା ବେଳେ ମହିଳା ସଶକ୍ତି କରଣ ଉପରେ ବହୁ କାର୍ଯ୍ୟ କରିଛନ୍ତି। ତେବେ ପ୍ରାର୍ଥୀ ଭାବେ ସେମାନଙ୍କ ନାମ ଘୋଷଣା ହେବା ପରେ ଉପରୋକ୍ତ ୪ ସଦସ୍ୟ ନିଜର ମତାମତ ରଖିଛନ୍ତି। ନିଜ ପ୍ରତିକ୍ରିୟାରେ ସୁବାସ ସିଂ କହିଛନ୍ତି ଯେ ମତେ ଯେତେବେଳେ ଦଳ ଯେଉଁ ଦାୟିତ୍ୱ ଦେଇଛି ତାହା ମୁଁ ତୁଲାଇଛି। ଏ ଦାୟିତ୍ୱ ମଧ୍ୟ ଭଲ ଭାବେ ତୁଲାଇବି ବୋଲି ମୋର ଦୃଢ଼ ବିଶ୍ୱାସ ଅଛି। ମତେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଁ କୃତଜ୍ଞ ବୋଲି ସୁବାସ କହିଛନ୍ତି। ସେହିପରି ମୁନା ଖାଁ କହିଛନ୍ତି ଯେ ମୋ ପରିଶ୍ରମର ଫଳ ମତେ ମିଳିଲା। ମତେ ପ୍ରାର୍ଥୀ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ଆନ୍ତରିକ ଧନ୍ୟବାଦ ଜଣାଉଛି। ରାଜ୍ୟ ସଭାରେ ମୁଁ ମୋର ସାଧ୍ୟ ମତେ ଓଡ଼ିଶାର ସ୍ୱାର୍ଥ ଏବଂ ଦାବିକୁ ଉପସ୍ଥାପିତ କରିବି। ସେହିପରି ନିଜ ପ୍ରାର୍ଥୀତ୍ୱକୁ ନେଇ ସୁଜିତ କୁମାର କହିଛନ୍ତି ଯେ ମତେ ରାଜ୍ୟ ସଭା ପ୍ରାର୍ଥୀ କରିବା ମୋ ପାଇଁ ଏକ ବହୁତ ବଡ ଆଶ୍ଚର୍ଯ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତେ ଏଥିପାଇଁ ଯୋଗ୍ୟ ଭାବିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ଆଦିବାସି ଅଞ୍ଚଳର ବିକାଶ ଲାଗି ସର୍ବୋପରି ସେମାନଙ୍କର ମୌଳିକ ଆବଶ୍ୟକତା ସେ ଅଞ୍ଚଳର ଶିକ୍ଷା ଏବଂ ସ୍ୱାସ୍ଥ୍ୟର ବିକାଶ ପାଇଁ ମୁଁ ସାଧ୍ୟମତେ ଚେଷ୍ଟା କରିବି। ସେହିପରି ଏକମାତ୍ର ମହିଳା ପ୍ରାର୍ଥୀ ମମତା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଆସିଛନ୍ତି। ମହିଳାଙ୍କ ଉନ୍ନତି, ସମ୍ମାନ ଏବଂ ସଶକ୍ତୀକରଣ ଲାଗି ନିକଟ ଅତୀତରେ ସେ ବହୁ ବଡ଼ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ଦେଶ ବ୍ୟାପୀ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇଛି। ମତେ ପ୍ରାର୍ôଥ କରିଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ମିଳିଥିବା ଦାୟିତ୍ୱକୁ ମୁଁ ସୁଚାରୁ ରୂପେ ତୁଲାଇବି ବୋଲି ସେ କହିଛନ୍ତି। Share