ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଏପ୍ରିଲ ୧ ତାରିଖରେ ନୂଆଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ‘ପରୀକ୍ଷା ପେ ଚର୍ଚ୍ଚା’ର ପଞ୍ଚମ ସଂସ୍କରଣ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ମତ ବିନିମୟ କରିବେ। ଓଡ଼ିଶାରୁ ପ୍ରାୟ ୨୬,୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ, ୪୯୮୬ ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୨୨୩ ଅଭିଭାବକ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବୁଧବାର ଭୁବନେଶ୍ୱର ପିଆଇବି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୋମବାର ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ ଯୁବପିଢ଼ିଙ୍କ ବହୁ ପ୍ରତୀକ୍ଷିତ ଏହି ବାର୍ଷିକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ଦିନରେ ହେବାକୁ ଥିବା ବୋର୍ଡ ଓ ପ୍ରବେଶିକା ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପୂର୍ବରୁ ଚାପମୁକ୍ତ ହେବା ଦିଗରେ ପରାମର୍ଶ ଦେବେ। କୋଭିଡ୍ କଟକଣା କାରଣରୁ କେବଳ ଦିଲ୍ଲୀ ଏନସିଆର, ଉତ୍ତରପ୍ରଦେଶ ଏବଂ ହରିୟାଣାର ୧ ହଜାର ଛାତ୍ରଛାତ୍ରୀଙ୍କୁ ତାଲକଟୋରା ଷ୍ଟାଡ଼ିୟମରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯାଇଛି।
ଚଳିତ ଥର ପ୍ରଥମ ଥର ପାଇଁ ସବୁ ରାଜଭବନରେ ରାଜ୍ୟପାଳଙ୍କ ସହ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଏହି କାର୍ଯ୍ୟକ୍ରମକୁ ଦେଖିବାର ବ୍ୟବସ୍ଥା ରହିଛି। ବିଦେଶରୁ ମଧ୍ୟ ଭର୍ଚ୍ଚୁଆଲ ମାଧ୍ୟମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଡିହେବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀ ପରୀକ୍ଷାର ଚାପରୁ ମୁକ୍ତ ହେବେ ଓ ସଫଳତାର ମନ୍ତ୍ର ପାଇପାରିବେ। ଗତ ବର୍ଷ ମହାମାରୀ ସମୟରେ ଅନଲାଇନରେ ‘ପରୀକ୍ଷା ପେ ଚର୍ଚ୍ଚା’ ଅନୁଷ୍ଠିତ ହୋଇଥିଲା। ଏହି ବର୍ଷ ଏହାକୁ ଲୋକପ୍ରିୟ କରିବା ଓ ବିଦ୍ୟାର୍ଥୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ୨୦୨୧ ଡିସେମ୍ବର ୨୮ରୁ ୨୦୨୨ ଫେବୃୟାରୀ ୩ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏହି ବର୍ଷ ରଚନାତ୍ମକ ଲେଖା ପ୍ରତିଯୋଗିତା ପାଇଁ ୧୫.୭ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପଞ୍ଜିକରଣ କରିବା ସହ ଭାଗ ନେଇଥିଲେ।
ଆୟୋଜିତ ଏଗଜାମ ଷ୍ଟ୍ରେସ ମ୍ୟାନଜମେଣ୍ଟ, ସ୍ୱାଧୀନତାର ଅମୃତ ମହୋତ୍ସବ, ପର୍ଯ୍ୟାବରଣ, ଅଭିଭାବକଙ୍କ ଭୂମିକା, ଭୋକାଲ ଫର୍ ଲୋକାଲ ଭଳି ବିଭିନ୍ନ ପ୍ରତିଯୋଗିତାରେ ଚୟନ ହୋଇଥିବା ୨୦୫୦ଛାତ୍ରଛାତ୍ରୀଙ୍କୁ ଏନ୍ସିଇଆରଟିର ନିର୍ଦ୍ଦେଶକଙ୍କ ଦ୍ୱାରା ଏକ ସାର୍ଟିଫିକେଟ୍ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରଚିତ ‘ଏଗ୍ଜାମ ୱାରିୟର’ ପୁସ୍ତକ ଥିବା ସ୍ୱତନ୍ତ୍ର ପରୀକ୍ଷା ପେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୫୬ଜଣ ମନୋନୀତ ହୋଇଛନ୍ତି। ତେବେ ଏହି କାର୍ଯ୍ୟକ୍ରମ ଦୂରଦର୍ଶନ, ରେଡିଓ ଚ୍ୟାନେଲ, ବିଭିନ୍ନ ଟିଭି ଚ୍ୟାନେଲ ସମେତ, ଶିକ୍ଷା ମନ୍ତ୍ରଣାଳୟ, ନରେନ୍ଦ୍ର ମୋଦୀ, ପିଏମ୍ଓ ଇଣ୍ଡିଆ, ପିଆଇବି ଇଣ୍ଡିଆ ଭଳି ଡିଜିଟାଲ ପ୍ଲାଟଫର୍ମ ତଥା ୟୁଟ୍ୟୁବ ଚ୍ୟାନେଲ ସମେତ ଦୂରଦର୍ଶନ ନ୍ୟାସନାଲ, ଡିଡି ନ୍ୟୁଜ୍, ମାଇ ଗଭ.ଇଣ୍ଡିଆ, ସଂସଦ ଟିଭି ଏବଂ ସ୍ୱୟଂପ୍ରଭାରେ ସିଧାସଳଖ ପ୍ରସାରଣ କରାଯିବ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ପିଆଇବି କାର୍ଯ୍ୟାଳୟ ଉପ ନିର୍ଦ୍ଦେଶକ ଡ. ଗିରିଶ ଚନ୍ଦ୍ର ଦାଶ, ପିଆଇବିର ଗଣଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ଓ ସହାୟକ ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ ଉପସ୍ଥିତ ଥିଲେ।