ହୋଟେଲ ଭିତରେ ନିଶାବେପାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାହାରକୁ ସାଧାସିଧା ହୋଟେଲ। ହେଲେ ଭିତରେ ଜମୁଥିଲା ନିଶାବେପାର। ଖାଦ୍ୟ ନାଁରେ ବ୍ରାଉନସୁଗର ବିକି ମାଲେମାଲ ହେଉଥିଲେ ହୋଟେଲମାଲିକ। ଶେଷରେ ଏସଟିଏଫ୍ ଚଢ଼ାଉ ପରେ ସବୁ ଫସର ଫାଟିଯାଇଛି। ରବିବାର କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ୍) ଆଠଗଡ଼ର ଏକ ହୋଟେଲ ଭିତରେ ଚଢ଼ାଉ କରି ୧୬୪ଗ୍ରାମର ବ୍ରାଉନସୁଗର ଜବତ କରିଛି। ଯାହାଜର ବଜାର ମୂଲ୍ୟ ୧୬ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ସମ୍ପୃକ୍ତ ହୋଟେଲ ମାଲିକ ପ୍ରଶାନ୍ତ କୁମାର ସାହୁ ଓ କର୍ମଚାରୀ ବିକାଶ କୁମାର ସ୍ୱାଇଁକୁ ପୁଲିସ ଗିରଫ କରିଛି। ଏନେଇ ଆଠଗଡ଼ ଥାନା ପୁଲିସ କେସ ନଂ ୩୪/୨୧ରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।
ସୂଚନା ଅନୁଯାୟୀ, ଆଠଗଡ ବିରକିଶୋରପୁର ଗୋଲେଇଛକ ନିକଟସ୍ଥ ରାଧାପତିପୁର ଠାରେ ଥିବା ପାରିଜାତ ହୋଟେଲ ରହିଛି। ଏଠାରେ ଖାଦ୍ୟ ବିକ୍ରି ହେବା ସହ ଭିତରେ ନିଶା କାରବାର ହୁଏ। ପୂର୍ବରୁ ମଦ, ଗଞ୍ଜେଇ ବିକ୍ରି ହେଉଥିବାବେଳେ ଏବେ ବ୍ରାଉନସୁଗର କାରବାର ଜୋରଦାର ହେଉଥିଲା। ଟ୍ରକ ଡ୍ରାଇଭର, କଲେଜ ପଢୁଆ ଛାତ୍ରମାନେ ହୋଟେଲକୁ ଖାଇବା ବାହାନାରେ ଆସି ବ୍ରାଉନସୁଗର କିଣୁଥିଲେ।

ଏସମ୍ପର୍କରେ ଏସଟିଏଫ୍ ବିଶେଷ ସୂତ୍ରରୁ ଖବର ପାଇଥିଲା। ରବିବାର ଏସଟିଏଫ୍ ଟିମ୍ ସାଦାପୋଷାକରେ ଖାଇବା ବାହାନାରେ ପାରିଜାତ ହୋଟେଲକୁ ଯାଇଥିଲେ। ସେଠାକୁ ଯିବା ପରେ ସେମାନେ କାଉଣ୍ଟର ପାଖକୁ ଯାଇ ବ୍ରାଉନସୁଗର ମିଳିବ ବୋଲି ପଚାରିଥିଲେ। ଏହାପରେ ମାଲିକ ହଁ ମାରିଥିଲେ। ପରେ ବ୍ରାଉନସୁଗର ଦେବା ବେଳେ ଏସଟିଏଫ୍ ମାଲିକକୁ କାବୁ କରି ନେଇଥିଲା।