ପରୀ ହତ୍ୟା ମାମଲା: ହାଇକୋର୍ଟ ତରଫରୁ ପୁଣି ଦିଆଗଲା ସମ୍ପୂର୍ଣ୍ଣ ତଥ୍ୟ

ବଲାଙ୍ଗିର,ଏନ୍ଏନ୍ଏସ୍: ରାଜ୍ୟର ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟାକାଣ୍ଡ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୁଣି ଥରେ ହାଇକୋର୍ଟ ପ୍ରଦାନ କରିଛନ୍ତି ବୋଲି ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଆଜି ଯାଦବ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ହାଇକୋର୍ଟଙ୍କ ଜନ ସୂଚନା ଅଧିକାରୀ ତଥା ଅତିରିକ୍ତ ଡେପୁଟୀ ରେଜିଷ୍ଟ୍ରାର ବି. ଦାଶ ପତ୍ର ସଂଖ୍ୟା ୧୩/୨୦୨୦/୬୯୬- ତା.୧୬/୦୧/୨୦୨୧ ଯୋଗେ ଶ୍ରୀ ପଣ୍ଡାଙ୍କୁ ଆଉ ଏକ ସୂଚନା ପ୍ରଦାନ କରିଛନ୍ତି।

ପୂର୍ବ ସୂଚନାର ରେଫରେନ୍ସ ପ୍ରଦାନ କରି ଜଣାଇଛନ୍ତି ଯେ, ଜଣେ କାର୍ଯ୍ୟରତ ବିଚାରପତିଙ୍କ ମନିଟରିଂରେ ଏସଆଇଟି ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ନିବେଦନକୁ କୋର୍ଟ ଗତ ୧ ଡିସେମ୍ବର ୨୦୨୦ରେ ଅଗ୍ରାହ୍ୟ କରି ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିବା ସୂଚନା ପ୍ରଦାନ କରାଯାଇଛି। କୋର୍ଟ ରାଜ୍ୟ ସରକାରଙ୍କ ନିବେଦନକୁ ଅଗ୍ରାହ୍ୟ କରିବା ଘଟଣାକୁ ଦୀର୍ଘ ଦେଢ଼ ମାସ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଏହି ସ୍ପର୍ଶକାତର ତଥ୍ୟକୁ ସାର୍ବଜନୀନ କରାଯାଇନାହିଁ। ଏହି ତଥ୍ୟ ସୂଚନା ଅଧିକାର ବଳରେ ସାମ୍ନାକୁ ଆସିବା ପରେ ନୂଆ ତଥ୍ୟ ଜଣାପଡିଛି। ହାଇକୋର୍ଟ ମନିଟରିଂ ଏସଆଇଟିକୁ ନେଇ ରାଜ୍ୟବ୍ୟାପୀ ରହିଥିବା ଦ୍ୱନ୍ଦର ଅବସାନ ଘଟିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ରାଜ୍ୟ ସରକାରଙ୍କ ନିବେଦନ କୋର୍ଟଙ୍କ ଦ୍ୱାରା ଅଗ୍ରାହ୍ୟ ହେଲାପରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସୁପାରିସ କରି ପାରିଥାନ୍ତେ। କିନ୍ତୁ ରାଜ୍ୟ ସରକାର ଏଭଳି କରିନାହାନ୍ତି ବୋଲି ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ହାଇକୋର୍ଟ ସୂଚନା ଅଧିକାର କର୍ମୀ ଶ୍ରୀ ପଣ୍ଡାଙ୍କୁ ଦେଇଥିବା ତଥ୍ୟରେ ଜଣାପଡିଥିଲା ଯେ, ହାଇକୋର୍ଟ ମନିଟରିଂ ତଦନ୍ତ ପାଇଁ ରାଜ୍ୟ ସରକାର ପ୍ରଦାନ କରିଥିବା ଅନୁରୋଧ ପତ୍ର ହାଇକୋର୍ଟ ପାଇନଥିବା ଉଲ୍ଲେଖ ଥିଲା। ତେବେ ବର୍ତ୍ତମାନର ତଥ୍ୟରେ ସରକାରଙ୍କ ନିବେଦନକୁ କୋର୍ଟ ଅଗ୍ରାହ୍ୟ କରି ଦେଇଥିବା ଜଣାପଡିଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।