ଏସ୍ଆଇଟି ଜେରା, ପ୍ରଶ୍ନବାଣରେ ବାବୁଲା ଘାଇଲା

ନୟାଗଡ଼,ଏନ୍ଏନ୍ଏସ୍: ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ଅଭିଯୁକ୍ତ ବାବୁଲି ନାଏକକୁ ବୁଧବାର ଜେରା କରିଛି ଏସଆଇଟି। ଦୁଇଘଣ୍ଟା ଝାଳ ନାଳକରି ପଚାରିଛି। ଖବର ମୁତାବକ ନୟାଗଡ଼ ଟାଉନ ଥାନାକୁ ଡାକି ବାବୁଲିକୁ ପଚରା ଉଚରା କରାଯାଇଛି। ଏସଆଇଟିର ସଦସ୍ୟମାନେ ବାବୁଲିକୁ ସ୍ଥାନୀୟ ରାଜନୈତିକ ସ୍ଥିତି ଏବଂ ପରୀ ହତ୍ୟା ଘଟଣାରେ କାହିଁକି ବାବୁଲିର ନାଁ ଉଠୁଛି ବୋଲି ପଚାରିଥିଲେ। ଏଥିସହ ବାବୁଲି ନାଁରେ ଅଙ୍ଗ ତସ୍କରୀ ନେଇ ଯେଉଁ ଅଭିଯୋଗ ଆସିଛି ସେ ବାବଦରେ ମଧ୍ୟ ଏସଆଇଟି ପ୍ରଶ୍ନ କରିଥିବା ଚର୍ଚ୍ଚା ହେଉଛି। ବିଶେଷ କରି ପରୀର ଅପହରଣ ବେଳେ ବାବୁଲି କେଉଁଠାରେ ଥିଲା, ଜେସିବି ରହୁଥିବା ସ୍ଥାନକୁ ପରୀ ସେଦିନ ଯାଇଥିଲା ନା ନାଇଁ ଏ ବାବଦରେ ଏସଆଇଟି ଖୋଳତାଡ଼ କରିଥିବା ଆଲୋଚନା ହେଉଛି। ତେବେ ୨ ଘଣ୍ଟା ପଚରାଉଚରା ପରେ ଏସଆଇଟି ବାବୁଲିକୁ ଘରକୁ ଯିବାକୁ ଛାଡ଼ି ଦେଇଥିଲା। ଏପରିକି ଗଣମାଧ୍ୟମ ସାମ୍ନାରେ ମଧ୍ୟ ଏନେଇ ମୁହଁ ଖୋଲିନଥିଲା ବାବୁଲି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ଏସ୍ଆଇଟି ମୁଖ୍ୟ ଆଇପିଏସ୍ ଅରୁଣ ବୋଥ୍ରା ପରୀର ଗାଁକୁ ଯାଇ ଘଟଣାସ୍ଥଳ ବୁଲି ଦେଖିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଥିଲେ। ନୟାଗଡ଼ ଏସ୍ପି ଓ ବରିଷ୍ଠ ଅଧିକାରୀଙ୍କ ସହ ଏଡିଜି ବୋଥ୍ରୋ ଆଲୋଚନା କରିଛନ୍ତି।
ପରୀ ଗାଉଥିଲା ଜନ ଗଣ ମନ…
ଅପହରଣ ପରେ ହତ୍ୟାର ଶିକାର ହୋଇଥିବା ନୟାଗଡ଼ ଯଦୁପୁରର ୫ ବର୍ଷୀୟ ନାବାଳିକା ପରୀର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟିକୁ ପରୀ ନିଜେ ମୋବାଇଲରେ ସୁଟ୍ କରିଥିବା ଦେଖିବାକୁ ମିଳୁଛି। କୁନି କୁନି ଓଠରେ ସେ ଗାଉଛି ଦେଶର ଜାତୀୟ ସଙ୍ଗୀତ ‘ଜନ ଗଣ ମନ…’। ଏତେ ଛୋଟ ଝିଅ ହୋଇ ମଧ୍ୟ ରାଷ୍ଟ୍ରଗାନକୁ ମନେ ରଖି ଏତେ ପ୍ରାଞ୍ଜଳ ଭାବରେ ସେ ଗାଉଥିବା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି। ଏନେଇ ପରୀର ମା’ ସୌଦାମିନୀ କହିଛନ୍ତି କି ପରୀ ପାଠ ପଢା ସାଙ୍ଗକୁ ଗୀତ ଗାଇବାରେ ମଧ୍ୟ ଆଗୁଆ ଥିଲା। ମୋବାଇଲରେ ତା’ର ଏହିଭଳି ଅନେକ ଭିଡିଓ ସେ ନିଜେ ରେକର୍ଡ କରିଥିଲା। ହେଲେ ସେ ଚାଲିଗଲା ପରେ ଭିଡିଓ ସବୁକୁ ଆମେ ଡିଲିଟ କରିଦେଇଥିଲୁ। ଏଇ ଗୀତଟି କେମିତି ରହିଯାଇଥିଲା। ଏଇଟିକୁ ସେ ତାଙ୍କ ସ୍କୁଲରେ ଜାନୁଆରୀ ୨୬ ପୂର୍ବରୁ ଶୁଣି ମନେ ରଖି ସାରିଥିଲା। ଖାଲି ଗୀତ ନୁହେଁ ସାହିତ୍ୟ, ଗଣିତ ସବୁଥିରେ ତାର ରୁଚି ଥିଲା। ସେ ବେଶୀ ଦୁଷ୍ଟାମୀ କରେନି। ନିଜ ପାଠ ନିଜେ ପଢ଼ିଦିଏ। କହିବାକୁ ବି ପଡ଼ୁନଥିଲା। ଖେଳରେ ତା’ର ସବୁବେଳେ ଭାରି ଆଗ୍ରହା। ହେଲେ ସେହି ଖେଳ ଖେଳରେ ବି ପାଠ ମନେ ରଖିଦିଏ ଏବଂ ତାକୁ ଭୁଲେନି। ଆଉ ବା ଏସବୁ କହିକି ଲାଭ କ’ଣ। ସେ ରାକ୍ଷସମାନେ ତ ତାକୁ ଖାଇଗଲେ।