‘ପାରାସାଇଟ୍’ ଚଳଚ୍ଚିତ୍ରକୁ ଓସ୍କାର୍

ନୂଆଦିଲ୍ଲୀ: ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଦକ୍ଷିଣ କୋରିଆର ‘ପାରାସାଇଟ୍’କୁ ଓସ୍କାର ପୁରସ୍କାର ମିଳିଛି। ପୁରସ୍କାର ପାଇବା ପରେ ପାରାସାଇଟ୍ ପ୍ରଯୋଜକ କ୍ୱାକ୍ ସିନ୍ ଆଇ ଖୁସିରେ ଆତ୍ମହରା ହୋଇଯାଇଛନ୍ତି। ଏହା ତାଙ୍କର ଜୀବନର ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି। ଦୁଇଟି ପରିବାରକୁ ନେଇ ରଚିତ କାହାଣୀ ‘ପାରାସାଇଟ୍’ ହଲିଉଡ୍କୁ ମଧ୍ୟ ପଛରେ ପକାଇଛି। ଅଣ-ଇଂରାଜୀ ପର୍ଯ୍ୟାୟରେ ୧୧ଟି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଦକ୍ଷିଣ କୋରିଆ ଚଳଚ୍ଚିତ୍ର ‘ପାରାସାଇଟ୍’ ବିଚାରକମାନଙ୍କ ହୃଦୟ ଜିଣିପାଇଥିଲା। ଶ୍ରେଷ୍ଠ ନିର୍ଦ୍ଦେଶନା, ଶ୍ରେଷ୍ଠ ଆନ୍ତର୍ଜାତିକ ଫିଚର୍ ଫିଲିମ ଓ ଶ୍ରେଷ୍ଠ ଓରିଜିନାଲ୍ ସ୍କ୍ରିନପ୍ଲେ ପର୍ଯ୍ୟାୟରେ ମଧ୍ୟ ‘ପାରାସାଇଟ୍’ ବାଜି ମାରିନେଇଛି।

‘ପାରାସାଇଟ୍’କୁ କଡ଼ା ଟକ୍କର ଦେଇଥିଲା ‘୧୯୧୭’ ଓ ‘ୱାନ୍ସ ଅପନ୍ ଏ ଟାଇମ୍…ଇନ୍ ହଲିଉଡ୍’। ‘ଜୋକର’ରେ ନିଖୁଣ ଅଭିନୟ ପାଇଁ ଜୋଆକ୍ୱିନ୍ ଫୋଏନିକ୍ସ ଶ୍ରେଷ୍ଠ ଅଭିନେତା ଓ ‘ଜୁଡି’ରେ ଜୀବନ୍ତ ଅଭିନୟ କରି ରିନି ଜେଲ୍ୱେଜେର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଓସ୍କାର ଲାଭ କରିଛନ୍ତି। ସେହିପରି ‘ମ୍ୟାରେଜ୍ ଷ୍ଟୋରି’ରେ ଭଲ ଅଭିନୟ କରି ଲୌରା ଡେର୍ନ ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ପୁରସ୍କାର ଲାଭ କରିଥିବା ବେଳେ ‘ୱାନ୍ସ ଅପନ୍ ଏ ଟାଇମ୍…ଇନ୍ ହଲିଉଡ୍’ରେ ଜୀବନ୍ତ ଅଭିନୟ କରି ବ୍ରାଡ୍ ପିଟ୍ଟ ଶ୍ରେଷ୍ଠ ପାଶ୍ୱର୍ ଅଭିନେତା ପୁରସ୍କାର ଲାଭ କରିଛନ୍ତି।

କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ଭାବେ ‘ଲର୍ଣ୍ଣିଂ ଟୁ ସ୍କେଟ୍ବୋର୍ଡ ଇନ୍ ଏ ୱାର୍ ଜୋନ୍ (ଇଫ୍ ୟୁ ଆର୍ ଏ ଗାର୍ଲ)’ ପୁରସ୍କୃତ ହୋଇଛି। ଫିଚର୍ ପ୍ରାମାଣିକ ପର୍ଯ୍ୟାୟରେ ‘ଆମେରିକାନ୍ ଫ୍ୟାକ୍ଟରି’ ପୁରସ୍କାର ଲାଭ କରିଛି। ଶ୍ରେଷ୍ଠ ସିନେମାଟୋଗ୍ରାଫି ଭାବେ ‘୧୯୧୭’ ଓ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ବୁଙ୍ଗ୍ ଜୋନ୍ ହୋ (ପାରାସାଇଟ୍) ପୁରସ୍କାର ଲାଭ କରିଛନ୍ତି।