ପିପିଏଲକୁ ୨ ସମ୍ମାନଜନକ ପୁରସ୍କାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆଦିଲ୍ଲୀରେ କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନଶୁଖ୍ ମାନ୍ଦଭିଆଙ୍କ ଦ୍ୱାରା ଭାରତୀୟ ସାର ଉତ୍ପାଦନକାରୀ ସଙ୍ଘ (ଏଫ୍ଏଆଇ) ସେମିନାର୍-୨୦୧୯ ଉଦ୍ଘାଟିତ ହୋଇଯାଇଛି। ଦେଶ ତଥା ବିଦେଶରେ ଥିବା ସମସ୍ତ ସାର କମ୍ପାନୀର ଏହା ବାର୍ଷିକ ବୃହତ୍ ସମାବେଶ ହୋଇଥିବାବେଳେ ଏଥିରେ ସଙ୍ଗଠନର ମୁଖ୍ୟ ଏବଂ ସାର ପେଷାଦାରମାନେ ଯୋଗ ଦେଇଥିଲେ।

ଏହି ଅବସରରେ ପାରାଦୀପ ଫସଫେଟ୍ ଲିମିଟେଡ୍ (ପିପିଏଲ୍) ଏହାର କାରଖାନା ଏବଂ ଉତ୍ପାଦନ କେନ୍ଦ୍ରରେ ସୁସ୍ଥ ପରିବେଶ ବଜାୟ ରଖିବା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେଇଥିବାରୁ ଏହାକୁ ପୁଣିଥରେ ଦୁଇଟି ପୁରସ୍କାର ପ୍ରଦାନ କରାଯାଇଛି। ପିପିଏଲ୍କୁ ଏଫ୍ଏଆଇ ପର୍ଯ୍ୟାବରଣ ସୁରକ୍ଷା ସମ୍ମାନ ଏବଂ ଏଫ୍ଏଆଇ ସର୍ବୋତ୍ତମ ଫସ୍ଫରିକ୍ ଅମ୍ଳ ଉତ୍ପାଦନ ପ୍ଲାଣ୍ଟ୍ ସମ୍ମାନରେ ସମ୍ମାନିତ କରାଯାଇଛି। ପିପିଏଲ୍ର ମୁଖ୍ୟ ପରିଚାଳନା ଅଧିକାରୀ ରଞ୍ଜିତ ସିଂହ ଚୁଘ୍ ଶ୍ରୀ ମାନ୍ଦଭିଆଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଏଏଫ୍ଆଇର ମହାନିର୍ଦ୍ଦେଶକ ସତିଶ ଚନ୍ଦର ଉପସ୍ଥିତ ଥିଲେ। ଏହି ସେମିନାରରେ ମୁଖ୍ୟ ପରିଚାଳନା ଅଧିକାରୀ (ପରିଚାଳନା) ପ୍ରଣବ ଭଟ୍ଟାଚାର୍ଯ୍ୟ, ମୁଖ୍ୟ ବିତ୍ତ ଅଧିକାରୀ ଶୈଳେଶ ପତି ଏବଂ ପିପିଏଲ୍ର ଜିଏମ୍ (ମେଣ୍ଟେନାନ୍ସ) ରଞ୍ଜନ କୁମାର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ।