ହରିଦାସପୁର- ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ପାଇଁ ବାଟ ଫିଟିଲା

କେନ୍ଦ୍ରାପଡ଼ା,ଏନ୍ଏନ୍ଏସ୍: ବହୁ ପ୍ରତୀକ୍ଷା ପରେ ହରିଦାସପୁର- ପାରାଦୀପ ରେଳପଥରେ ପାସେଞ୍ଜର ଟ୍ରେନ ଚାଲିବ ବୋଲି ସ୍ପଷ୍ଟ ହୋଇଛି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଜିଲା୍ଲପାଳ ସମର୍ଥ ବର୍ମାଙ୍କ ସହିତ ପାରାଦୀପ ବନ୍ଦର ଅଧ୍ୟକ୍ଷ ତଥା ହରିଦାସପୁର-ପାରାଦୀପ ରେଲୱେ କମ୍ପାନୀ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ରିଙ୍କେଶ ରାୟ ଆଜି ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଆଲୋଚନା କରିଥିବା ଜଣାପଡ଼ିଛି। ଏହି ବୈଠକରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ଶଶିଭୂଷଣ ବେହେରା ମଧ୍ୟ ଯୋଗଦେଇଥିଲେ। ତେବେ ଲୋକମାନଙ୍କ ଦାବିକୁ ହୃଦୟଙ୍ଗମ କରି ରେଳବିଭାଗ ପକ୍ଷରୁ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ସମସ୍ତ ସୁବିଧା ଉପଲବ୍ଧ କରାଯିବା ପରେ ଯାଇ ପାସେଞ୍ଜର ଟ୍ରେନ ଚାଲିବ ବୋଲି ଡାଇରେକ୍ଟର ଶ୍ରୀ ରାୟ ପ୍ରତିଶ୍ରୁତି ଦେଇଥିବା ମାହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ପାରାଦୀପ-ହରିଦାସପୁର ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ଗତ ଜୁଲାଇ ୨୪ ତାରିଖରେ ପ୍ରଥମ କରି ପରୀକ୍ଷାମୂଳକ ଭାବରେ ୭ଟି ରେଳଡ଼ବା ବିଶିଷ୍ଟ ଏକ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିଥିଲା। ପୂର୍ବତଟ ରେଳପଥର ଏକ ହାଇଲେଭଲ କମିଟି ଏହି ରେଳଗାଡ଼ିରେ ଆସି ଏଠାରେ ନିୟମିତ ରେଳଚଳାଚଳ କରିବା ପୂର୍ବରୁ ରାସ୍ତା, ବ୍ରିଜ, ବିଦ୍ୟୁତ ବ୍ୟବସ୍ଥା, ସିଗ୍ନାଲ ଓ ସୁରକ୍ଷା ସମ୍ପର୍କରେ ଯାଞ୍ଚ କରିଥିଲେ। ତେବେ କେବଳ ମାଲବାହୀ ରେଳ ଏଠାରେ ଚଳାଚଳ କରିବ ବୋଲି ଜଣାପଡ଼ିବାପରେ ଏହାକୁ ନେଇ ବିଭିନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଜୁଲାଇ ୨୮ ତାରିଖରେ ଚିଠି ଲେଖି ଏହି ପଥରେ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ଦାବି କରିଥିଲେ। ସେହିପରି ଜିଲ୍ଲାର ସମସ୍ତ ବିଧାୟକମାନେ ମଧ୍ୟ ପାସେଞ୍ଜର ଟ୍ରେନ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ।
ତେବେ ଗତ ୩୧ ତାରିଖରେ ପରୀକ୍ଷାମୂଳକ ଭାବରେ ପାରାଦୀପରୁ ଏକ କୋଇଲା ବୋଝେଇ ରେଳ ଏହିପଥରେ ଯାତ୍ରା ଆରମ୍ଭ କରିଥିଲା। ପାସେଞ୍ଜର ଟ୍ରେନ୍ ଚାଲିବା ଦାବିରେ ମହାକାଳପଡ଼ାର ନୂଆଗାଁ ପ୍ଲାଟଫର୍ମରେ ସ୍ଥାନୀୟ ଲୋକମାନେ ରେଳଧାରଣାରେ ବସିରହିି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନଙ୍କୁ ରେଳ ବିଭାଗ ଏ ସମ୍ପର୍କରେ ପ୍ରତିଶ୍ରୁତି ଦେଲେ ଯାଇ ଧାରଣାରୁ ଉଠିବୁ ବୋଲି ପ୍ରକାଶ କରିଥିଲେ। ଯାହାକୁ ନେଇ ଏହିପଥରେ ମାଲବାହୀ ଟ୍ରେନ ଚଳାଚଳ ଠପ ହୋଇପଡ଼ିଥିଲା। ଏହି ଘଟଣା ପରେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ଲୋକଙ୍କୁ ଟ୍ରାଏଲ ରନ ଭିତ୍ତିରେ ରେଳ ଚଳାଚଳ ପାଇଁ ବାଧା ନଦେବାକୁ ନିବେଦନ କରାଯାଇଥିଲେ ମଧ୍ୟ ଏହାର ପ୍ରଭାବ ଲୋକାଙ୍କ ଉପରେ ପଡ଼ିନଥିଲା। ଏହାପରେ ହରିଦାସପୁର-ପାରାଦୀପ ରେଲୱେ କମ୍ପାନୀ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ରିଙ୍କେଶ ରାୟ ଜିଲ୍ଲାପାଳ କେନ୍ଦ୍ରାପଡ଼ା ଓ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସହିତ ଏ ବାବଦରେ ଆଲୋଚନା କରିବାକୁ ସମୟ ଓ କାର୍ଯ୍ୟକ୍ରମ ସ୍ଥିିର କରାଯାଇଥିଲା। ଆଜି ଶ୍ରୀ ରାୟ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଆଲୋଚନା କରିବା ସମୟରେ ପାସେଞ୍ଜର ଟ୍ରେନ ଚାଲିବା ପାଇଁ ୪ ରୁ ୫ମାସ ଲାଗିବ ବୋଲି ସେ ପ୍ରକାଶ କରିଥିଲେ।