ମୁମ୍ବାଇ, ଏଜେନ୍ସି : ମହାରାଷ୍ଟ୍ର ବିଜେପି ନେତ୍ରୀ ପଙ୍କଜା ମୁଣ୍ଡେ ଗୁରୁବାର ତାଙ୍କ ବାପା ଗୋପୀନାଥ ମୁଣ୍ଡେଙ୍କ ଜନ୍ମଦିନ ପାଳନ ଉପଲକ୍ଷେ ଜନ ସମାବେଶର ଆୟୋଜନ କରି କହିଛନ୍ତି ଯେ ସେ ବିଜେପି କୋର୍ ଟିମରୁ ବାଦ ପଡ଼ିଥିଲେ ମଧ୍ୟ ଦଳ ଛାଡ଼ିବେ ନାହିଁ। ବିଜେପି ଉପରେ ସେ ତାଙ୍କର ରାଜନୈତିକ ସ୍ଥିତି ଛାଡ଼ି ଦେଇଛନ୍ତି। ଦଳ ତାଙ୍କୁ ଯେଉଁ ଦାୟିତ୍ୱ ପ୍ରଦାନ କରିବ, ସେ ତାହାକୁ ଅବଶ୍ୟ ପାଳନ କରିବେ। ବିଧାନସଭା ନିର୍ବାଚନରେ ପରାଜିତ ହେବାପରେ ସେ ବିଜେପି ଛାଡ଼ିବାର ଆଶଙ୍କା ଉପୁଜିଥିଲା। ତେବେ ଗୁରୁବାର ଜନ ସମାବେଶରୁ ତାଙ୍କର ଲୋକପ୍ରିୟତା ପ୍ରମାଣିତ ହୋଇଛି। ଗତ ୫ ବର୍ଷ ଧରି ସେ ବାପାଙ୍କ ଜନ୍ମଦିନ ପାଳନ କରିଆସୁଛନ୍ତି। ମହାରାଷ୍ଟ୍ର ବିଜେପିର କାର୍ଯ୍ୟଧାରା ପ୍ରତି ପଙ୍କଜା ସନ୍ତୁଷ୍ଟ ନାହାନ୍ତି।
ମଙ୍ଗଳବାର ଅନୁଷ୍ଠିତ ମହାରାଷ୍ଟ୍ର ବିଜେପିର କୋର କମିଟି ବୈଠକରେ ଯୋଗଦେବା ପାଇଁ ତାଙ୍କୁ ଡକାଯାଇ ନଥିଲା। ଗୁରୁବାର ଜନସମାବେଶରେ ସେ ବିଜେପି କୋର କମିଟିର ସଭ୍ୟ ନଥିବା ଘୋଷଣା କରିଥିଲେ। ମହାରାଷ୍ଟ୍ରର ବିଦରେ ଅନୁଷ୍ଠିତ ଜନସମାବେଶରେ ପଙ୍କଜା ତାଙ୍କ ପରାଜୟ ପାଇଁ କିଛି ବିଜେପି କର୍ମୀଙ୍କୁ ଦାୟୀ କରିଛନ୍ତି। ମହାରାଷ୍ଟ୍ରର ପାର୍ଲି ବିଧାନସଭା ଆସନରେ ପଙ୍କଜାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଥିଲେ ତାଙ୍କ ସମ୍ପର୍କୀୟ ଭାଇ ତଥା ଏନ୍ସିପି ନେତା ଧନଞ୍ଜୟ ମୁଣ୍ଡେ। ସେ ଅଭିଯୋଗ କରିଛନ୍ତି ଯେ କିଛି ବିଜେପି ନେତା ତାଙ୍କର ପରାଜୟ ପାଇଁ ବାଟ ଫିଟାଇଥିଲେ।
ଫଳରେ ତାଙ୍କୁ ଏନ୍ସିପି ପ୍ରାର୍ଥୀଙ୍କଠାରୁ ହାରିବାକୁ ପଡ଼ିଛି। ଆସନ୍ତାବର୍ଷ ଜାନୁଆରୀରେ ସେ ମହାରାଷ୍ଟ୍ରରେ ମଶାଲ ଶୋଭାଯାତ୍ରା କରିବେ। ମରାଠାୱାଡ ଅଞ୍ଚଳର ସମସ୍ୟା ପ୍ରସଙ୍ଗରେ ସେ ଜାନୁଆରୀ ୨୭ରେ ଔରଙ୍ଗାବାଦରେ ପ୍ରତୀକ ଅନଶନ କରିବେ। ମହାରାଷ୍ଟ୍ରର ଦ୍ୱିତୀୟ ବିଜେପି ନେତ୍ରୀ ଭାବେ ପଙ୍କଜା ଦଳୀୟ କାର୍ଯ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କ ପୂର୍ବରୁ ଏକନାଥ ଖାଡ୍ସେ ବିଧାନସଭା ନିର୍ବାଚନରେ ତାଙ୍କ ଝିଅର ପରାଜୟ ପାଇଁ ଦଳୀୟକର୍ମୀଙ୍କୁ ଦାୟୀ କରିଥିଲେ।