ଭୁବନେଶ୍ୱର,ଏନ୍ଏନ୍ଏସ୍: ବର୍ତ୍ତମାନ ରାଜ୍ୟ ଚାଷୀମାନଙ୍କ ଉପରକୁ ଆଉ ଏକ ବିପଦ ମାଡ଼ି ଆସୁଛି। ମୌସୁମୀ ପୂର୍ବରୁ ଜୁନରେ ପଙ୍ଗପାଳ ଓଡ଼ିଶା ଆସିପାରିବା ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଓଡିଶା ଚାଷୀଙ୍କୁ ସଚେତନ ଓ ସତର୍କ ରହିବାକୁ ଓୟୁଏଟି ପରାମର୍ଶ ଦିଆଯାଇଛି। ଏ ନେଇ ଓୟୁଏଟିର ଡିନ ଲଳିତ ମୋହନ ଗଡନାୟକ ସୂଚନା ଦେବା ସହିତ ଚାଷୀମାନଙ୍କୁ ଟିଭି ଓ ଅନ୍ୟ ମାଧ୍ୟମରେ ସଚେତନ କରାଯିବ ବୋଲି କହିଛନ୍ତି। ତେବେ ଜିଲ୍ଲା ଓ ବ୍ଲକ ସ୍ତରରୁ ପ୍ରତ୍ୟକ ଦିନ ରିପୋର୍ଟ ସଂଗ୍ରହ କରାଯିବ। କୃଷି ନିର୍ଦ୍ଦେଶକଙ୍କ ଅଧିନରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ଏଥିସହ ସବୁ ଝିଂଟିକା ପଙ୍ଗପାଳ ନୁହଁନ୍ତି ବୋଲି କୁହାଯାଇଛି। ତେବେ ଗୋଲାପି ରଙ୍ଗର ପଙ୍ଗପାଳ ଅଧିକ କ୍ଷତିକାରକ ଓ ହଳଦିଆ ରଙ୍ଗର ହେଲେ ବିପଦ ନାହିଁ ବୋଲି ସୂଚନା ଦିଆଯାଇଛି।
ଅନ୍ୟପଟେ ଦି ଫୁଡ ଆଣ୍ଡ ଏଗ୍ରିକଲଚର ଅଗ୍ରାନାଇଜେସନ ଅଫ ଦି ୟୁନାଇଟେଡ ନେସନସ ପକ୍ଷରୁ ଜୁନ ୧୫ କିମ୍ବା ଏହା ପରେ ଓଡିଶାକୁ ପଙ୍ଗପାଳ ଆସିପାରନ୍ତି ବୋଲି କୁହାଯାଇଛି। ତେବେ ଏଫଏଓ ପକ୍ଷରୁ ଏହି ସୂଚନା ଆସିିଥିବା କହିଛନ୍ତି ଏଗ୍ରିକଲଚର ଆଣ୍ଡ ଫୁଡ ପ୍ରଡକସନ ଡାଇରେକ୍ଟର ଏମ ମୁଥୁ କୁମାର। ତେବେ ଏହାର ଯଥେଷ୍ଟ ପୂର୍ବରୁ ରାଜ୍ୟ ସରକାର ସଚତେନ ଅଛନ୍ତି। କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ କାମ ଆରମ୍ଭ ହୋଇଯାଇଛି ଏବଂ ଚାଷୀଭାଇମାନଙ୍କୁ ଏ ସମ୍ପର୍କିତ ସୂଚନା ମଧ୍ୟ ଦିଆଯାଉଛି ବୋଲି ସେ କହିଛନ୍ତି। ମୌସୁମୀ ଓଡିଶା ଛୁଇଁବା ପରେ ପବନର ଦିଗ ପରିବର୍ତ୍ତନ ଉପରେ ସବୁକିଛି ନିର୍ଭର କରୁଛି। ତେଣୁ ପଙ୍ଗପାଳ ଆସିବ କି ନାହିଁ ସେତେବେଳେ ଅଧିକ ସ୍ପଷ୍ଟ ହୋଇପାରିବ ବୋଲି କହିଛନ୍ତି।