୭୮ ବର୍ଷରେ ଲେଖି ସାରିଲେଣି ୭୯ ବହି, ଶାସ୍ତ୍ରୀଙ୍କଠାରୁ ମୋଦୀ କରିଛନ୍ତି ଉନ୍ମୋଚନ ଜିଲ୍ଲାରାଜ୍ୟ By Nitidin On Feb 24, 2022 Share ସାଲେପୁର,ଏନ୍ଏନ୍ଏସ୍: ପଣ୍ଡିତ ପ୍ରବୋଧ ମିଶ୍ର। ଜଣେ ପ୍ରଗାଢ ରାଷ୍ଟ୍ରଭକ୍ତ ,ସାହିତ୍ୟିକ ତଥା ସାମ୍ବାଦିକ ଭାବେ ସେ ବେଶ୍ ଜଣାଶୁଣା। ସଂସ୍କୃତ, ହିନ୍ଦୀ, ଇଂରାଜୀ ଓ ଓଡିଆ ଭାଷାରେ ତାଙ୍କର ରହିଛି ପ୍ରଗାଢ଼ ଦଖଲ। ପଣ୍ଡିତ ମିଶ୍ରଙ୍କୁ ବୟସ ୭୮ ବର୍ଷ ଛୁଇଁଥିବା ବେଳେ ଏଯାବତ ସେ ଲେଖି ସାରିଲେଣି ୭୯ଟି ପୁସ୍ତିକା। ଭାରତ ବର୍ଷର ବହୁ ପ୍ରଧାନମନ୍ତ୍ରୀ ତାଙ୍କର ପୁସ୍ତିକା ସବୁକୁ ରାଷ୍ଟ୍ରୀୟ ସ୍ତରରେ ଉନ୍ମୋଚନ କରିଛନ୍ତି। ଲାଲ ବାହାଦୁର ଶାସ୍ତ୍ରୀଙ୍କଠାରୁ ଆରମ୍ଭ କରି ନରେନ୍ଦ୍ର ମୋଦୀଙ୍କ ପର୍ଯ୍ୟନ୍ତ ବହୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ପଣ୍ଡିତ ପ୍ରବୋଧ ମିଶ୍ରଙ୍କ ବହୁ ବହି। ଆସନ୍ତା ୧୫ ତାରିଖରେ ପଣ୍ଡିତ ପ୍ରବୋଧ ମିଶ୍ରଙ୍କ ବହୁ ପ୍ରତିକ୍ଷୀତ ବହି ‘ଆତ୍ମ ନିର୍ଭର ଭାରତ ଗୀତି ‘ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଏହି ପୁସ୍ତକକୁ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିଥିବା ବେଳେ ଏହାକୁ ଲେଖିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରୁ ପ୍ରେରଣା ପାଇଥିବା କହିଛନ୍ତି। ହିନ୍ଦୀ, ଓଡ଼ିଆ, ଇଂରାଜୀ ଓ ସଂସ୍କୃତି ଭାଷାରେ ଏହା ଉନ୍ମୋଚନ ହେବ। ପ୍ରଧାନମନ୍ତ୍ରୀ ମୋଦୀ କେବଳ ପଣ୍ଡିତ ମିଶ୍ରଙ୍କ ୩ଟି ବହି ଉନ୍ମୋଚନ କରି ସାରିଲେଣି। ଏଥିସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରି ଆହୁରି ବହି ଲେଖିବାକୁ ପ୍ରେରଣା ମଧ୍ୟ ଯୋଗାଇଥିବା କହିଛନ୍ତି ପଣ୍ଡିତ ମିଶ୍ର। ପୂର୍ବରୁ ପଣ୍ଡିତ ମିଶ୍ରଙ୍କ ଦ୍ୱାରା ଲିଖିତ ‘ବନ୍ଦେ ଭାରତମ’ ବହିକୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଉନ୍ମୋଚନ କରିଥିଲେ। ଏହାପରେ ‘ବନ୍ଦେ ଭାରତ’ ଏକ୍ସପ୍ରେସ ଓ ଏୟାର ଲାଇନ୍ସ’ ଆରମ୍ଭ ହେଲା ବୋଲି କହିଛନ୍ତି ପଣ୍ଡିତ ମିଶ୍ର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ସରପଡ଼ାରେ ଜନ୍ମିତ ପଣ୍ଡିତ ପ୍ରବୋଧ ମିଶ୍ରଙ୍କର ବିଭିନ୍ନ ଭାଷା, ସାହିତ୍ୟ ତଥା ସାମ୍ପ୍ରତିକ ସ୍ଥିତିରେ ରହିଛି ପ୍ରଗାଢ଼ ଜ୍ଞାନ । ଏପରିକି ସାମ୍ପ୍ରତିକ ସାମାଜିକ ଚଳଣୀ, ଜୀବନୀ, ତଥା ପ୍ରସଙ୍ଗକୁ ସେ ଅତି ସୃଜନଶୀଳନତାର ସହ ନିଜ ଲେଖନୀ ମୁନରେ ଗପ, କ୍ଷୁଦ୍ର ଗଳ୍ପ ତଥା କବିତାର ରୂପ ଦେଇଥାନ୍ତି। ୧୯୬୫ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ପଣ୍ଡିତ ମିଶ୍ରଙ୍କ ପ୍ରଥମ ବହି ‘ଶାନ୍ତିଦୂତ’ ଉନ୍ମୋଚନ କରିଥିଲେ। ଏହି ବହିଟି ଜବାହାରଲାଲ ନେହେରୁଙ୍କ ଜୀବନୀ ଉପରେ ଆଧାରିତ ଥିଲା। ଏଥିରେ ପଣ୍ଡିତ ମିଶ୍ରଙ୍କ ଭାଷା ଦଖଲ ତଥା ସୃଜନଶୀଳତାକୁ ପ୍ରଶଂସା ନ କରି ରହି ପାରି ନ ଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀ। ଏପରିକି ସେତେବେଳେ ସେ ପଣ୍ଡିତ ମିଶ୍ରଙ୍କୁ ୧୧ଶହ ଟଙ୍କା ଦେବା ସହ ଆଗକୁ ବଢ଼ିବାକୁ ଉତ୍ସାହିତ ମଧ୍ୟ କରିଥିଲେ। ଏହାପରେ ପଣ୍ଡିତ ମିଶ୍ରଙ୍କ ଦ୍ୱାରା ଲିଖିତ ବହୁ ପୁସ୍ତକକୁ ଇନ୍ଦିରା ଗାନ୍ଧୀ, ଦେବଗୌଡ଼ା, ଚନ୍ଦ୍ରଶେଖର ରାଓ, ନରସିଂହ ରାଓ, ମନମୋହନ ସିଂଙ୍କ ସମେତ ବହୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ବୟସର ସାୟାହ୍ନରେ ପହଞ୍ଚି ସାରିଥିବା ପଣ୍ଡିତ ମିଶ୍ର ଏଯାବତ ୭୯ଟି ବହି ଲେଖି ସାରିଥିବା ବେଳେ ଆଗକୁ ଆହୁରି ବାଟ ବାକି ଥିବା କହିଛନ୍ତି। ଏପରିକି ନିଜ କଲମ ମୁନକୁ ଆହୁରି ଶାଣିତ କରି ସମାଜ ପାଇଁ ଆହୁରି ଅଧିକ ବହି ଲେଖିବେ ବୋଲି ଆଶା ପ୍ରକଟ କରିଛନ୍ତି । Share