କେସିଙ୍ଗାରେ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

କେସିଙ୍ଗା,ଏନ୍ ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆରଏମସି ସଭାଗୃହରେ ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କିଂ କର୍ମଶାଳା କେସିଙ୍ଗା ସମବାୟ ସମିତିର ସଭାପତି ସନ୍ତୋଷ ଶର୍ମ।।ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଜିତେନ୍ଦ୍ର ନାରାୟଣ ସିଂ ଦେଓ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ, କେସିଙ୍ଗା ବାର ଆସୋସିଏସନ ସଭାପତି ପ୍ରକାଶ କୁମାର ଦାସ, ଡିଆରସିଏସ ପ୍ରମୋଦ ସାହୁ, ଦାଦପୁର ସମବାୟ ସମିତି ସଭାପତି ଟିକେଲାଲ ସାହୁ, ଏସଆରସିଏସ ସୁରେନ୍ଦ୍ର ମାଝୀ ଓ କେସିଙ୍ଗା ସମବାୟ ସମିତି ଉପସଭାପତି ମମତା ସୁନାନୀ ଯୋଗଦେଇ ଚାଷୀଙ୍କ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ରାଜ୍ୟ ସରକାର ଚାଷୀଙ୍କ ସୁବିଧା ପାଇଁ ବର୍ଷକ ଲାଗି ୧ ଲକ୍ଷ ଟଙ୍କା ଁବିନା ସୁଧରେ ଋଣ ସମବାୟ ସମିତି ମାଧ୍ୟମରେ ଦେଉଥିବାବେଳେ ୨ ପ୍ରତିଶତରେ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ଦେଉଛନ୍ତି । ହେଲେ ଚାଷୀମାନେ ଠିକ ଭାବେ ଏହି ସୁବିଧାର ଲାଭ ଉଠାଇ ପାରୁନାହାନ୍ତି ଏବଂ ସାହୁକାର ଓ ବିଭିନ୍ନ ସେଲ୍ଫହେଲ୍ପ ଗ୍ରୁପ ହାବୁଡ଼ରେ ପଡ଼ି ସର୍ବସାନ୍ତ ହେଉଛନ୍ତି ବୋଲି ବକ୍ତାମାନେ ନିଜ ମତ ରଖିଥିଲେ । କେସିଙ୍ଗା ସମବାୟ ସମିତିରେ ୩,୪୦୦ ସଭ୍ୟ ଅଛନ୍ତି ହେଲେ ମାତ୍ର ୭୦୦ ସଭ୍ୟ ଋଣ କାରବାର କରୁଛନ୍ତି ଏବଂ ସେଥିରୁ ଅନେକ ସଭ୍ୟ ଋଣ ପରିଶୋଧ କରୁନଥିବାରୁ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି । ଆପଣମାନେ ଆସନ୍ତୁ ଋଣ ପରିଶୋଧ କରନ୍ତୁ ଓ ସରକାରଙ୍କ ଏହି ଯୋଜନାର ଲାଭ ଉଠାନ୍ତୁ ବୋଲି ସଭାପତି ଶ୍ରୀ ଶର୍ମା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବାବେଳେ କେସିଙ୍ଗା ସମବାୟ ସମିତିର ଅନେକ ସଭ୍ୟ ଓ ଚାଷୀ ଯୋଗ ଦେଇଥିଲେ । ଶେଷରେ ଦୟାନିଧି ସୁନାନୀ ଧନ୍ୟବାଦ ଦେଇଥିଲେ ।