ପଞ୍ଚାୟତ ନିର୍ବାଚନ: ୬ରେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ପୂର୍ବରୁ ମାନସ ମନ୍ଥନ ଆରମ୍ଭ ହୋଇଛି। ରାଜ୍ୟ ନିର୍ବାଚନ ଆୟୋଗ ଏନେଇ ନଭେମ୍ବର ୬ରେ ଡାକିଛନ୍ତି ପ୍ରଥମ ସର୍ବଦଳୀୟ ବୈଠକ। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆୟୋଗ ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବିଚାରବିମର୍ଶ କରି ତ୍ରୁଟିଶୂନ୍ୟ ଭୋଟର୍ ତାଲିକା ପ୍ରସ୍ତୁତି ଉପରେ ଫୋକସ୍ କରିବେ। ସେହିପରି ପଞ୍ଚାୟତ ନିର୍ବାଚନ ତାରିଖ କେବେ ଧାର୍ଯ୍ୟ ହେବ ତା’ଉପରେ ମଧ୍ୟ ପ୍ରାରମ୍ଭିକ ଆଲୋଚନା ହେବ।
ବୁଧବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢ଼ୀ। ସେ କହିଛନ୍ତି ଯେ ଜିଲ୍ଲା ସ୍ତରରେ ସଂରକ୍ଷଣ ଝାମେଲା ସରିଛି । ଜିଲ୍ଲାପାଳମାନେ ଚୂଡ଼ାନ୍ତ ତାଲିକା ଦେଇସାରିଛନ୍ତି। ଆସନ୍ତା ଅକ୍ଟୋବର ୩୦ରେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ଦେବ। ଏହାପରେ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ତେଣୁ ରାଜ୍ୟରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକରେ ସାଧାରଣ ନିର୍ବାଚନ-୨୦୨୨ ନିମନ୍ତେ ନଭେମ୍ବର ୬ରେ ପୂର୍ବାହ୍ନ ୧୧ରେ ସର୍ବଦଳୀୟ ବୈଠକ ଡକାଯାଇଛି। ଆୟୋଗଙ୍କ ସଚିବ ସମସ୍ତ ରାଜନୈତିକ ଦଳମାନଙ୍କୁ ପତ୍ର ମାଧ୍ୟମରେ ଜଣାଇଛନ୍ତି। ସଂପୃକ୍ତ ରାଜନୈତିକ ଦଳଙ୍କର ସଭାପତି, ସଂପାଦକ କିମ୍ବା ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିମାନେ ଏହି ବୈଠକରେ ଯୋଗଦେଇପାରିବେ। କୋଭିଡ୍‌-୧୯ କଟକଣା ଦୃଷ୍ଟିରୁ ପ୍ରତ୍ୟେକ ରାଜନୈତିକ ଦଳର ଜଣେ କିମ୍ବା ଦୁଇଜଣ ପ୍ରତିନିଧି ବୈଠକରେ ଯୋଗଦେବା ପାଇଁ ଲିଖିତ ଅନୁରୋଧ କରାଯାଇଛି।

ଶ୍ରୀ ପାଢ଼ୀ କହିଛନ୍ତି ଯେ ତ୍ରି-ସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ୨୦୨୨ ମାର୍ଚ୍ଚ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ନିୟମାନୁସାରେ କାର୍ଯ୍ୟକାଳ ୫ ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ। ସେଥିପାଇଁ ଧାର୍ଯ୍ୟ ସମୟ ପୁର୍ବରୁ ନିର୍ବାଚନ କରାଯିବ। ରାଜନୈତିକ ଦଳର ପ୍ରତିନିଧିଙ୍କ ମତ ଆଧାରରେ ତାରିଖ ସ୍ଥିର ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଉଲ୍ଲେଖନୀୟ ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସମୁଦାୟ ଆସନର ୫୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ବ୍ୟବସ୍ଥା ରହିବ। ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ପଛୁଆ ବର୍ଗଙ୍କୁ ମିଶାଇ ମୋଟ୍ ୫୦ ପ୍ରତିଶତ ଆସନ ସଂରକ୍ଷଣ ହେବ। ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦରେ ସଂରକ୍ଷଣ ବ୍ୟବସ୍ଥା ପଞ୍ଚାୟତିରାଜ ବିଭାଗ କରିଥିଲା ବେଳେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ପଦ ପାଇଁ ସଂରକ୍ଷଣ ବ୍ୟବସ୍ଥା ଜିଲ୍ଲାପାଳ କରିଛନ୍ତି। ଜିଲ୍ଲାପାଳମାନେ ୧୯୬୫ ପଞ୍ଚାୟତ ନିର୍ବାଚନ ରୁଲ୍ସର ଧାରା- ୩ ଓ ୪ ଅନୁସାରେ ଆସନ ସଂରକ୍ଷଣ କରିଛନ୍ତି। ଅକ୍ଟୋବର ୨୧ରେ ଆପତ୍ତି ଓ ଅଭିଯୋଗର ଶୁଣାଣି କରି ଜିଲ୍ଲାପାଳମାନେ ଅକ୍ଟୋବର ୨୬ରେ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରଦାନ କରିଛନ୍ତି। ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତତି ପାଇଁ ଏସବୁ ପ୍ରସଙ୍ଗରେ ବି ଆଲୋଚେନା କରିପାରନ୍ତି ବୋଲି କୁହାଯାଉଛି।