୧୯୭୧ରେ ପାକିସ୍ତାନର ଅତ୍ୟାଚାର ଭୁଲି ହେବନାହିଁ : ଶେଖ୍ ହସିନା

ଢାକା,ଏଜେନ୍ସି: ୧୯୭୧ ମସିହାରେ ପାକିସ୍ତାନ ବାଂଲାଦେଶ ଉପରେ ଯେଉଁ ଅତ୍ୟାଚାର କରିଥିଲା ତାହା ଆଦୌ ଭୁଲି ହେବ ନାହିଁ। ଏହା କହିଛନ୍ତି ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା। ଗୁରୁବାର ପାକିସ୍ତାନର ହାଇକମିଶନର ଇମ୍ରାନ ଅହମଦ ସିଦ୍ଦିକ୍ ଢାକାରେ ପ୍ରଧାନମନ୍ତ୍ରୀ ହସିନାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟିବା ସମୟରେ ସେ ତାଙ୍କୁ ଏଭଳି କହିଛନ୍ତି। ୧୯୪୮ ରୁ ୧୯୭୧ ପର୍ଯ୍ୟନ୍ତ ପାକିସ୍ତାନ ଯେଭଳି ଅତ୍ୟାଚାର କରିଚାଲିଥିଲା ତାହା ବାଂଲାଦେଶର ଜାତିର ଜନକ ବଙ୍ଗବନ୍ଧୁ ଶେଖ୍ ମୁଜିବୁର୍ ରହମନଙ୍କ ଉପରେ ଲିଖିତ ‘ସିକ୍ରେଟ୍ ଡକୁମେଣ୍ଟସ ଅଫ୍ ଇଣ୍ଟେଲିଜେଣ୍ଟସ ଅନ୍ ଫାଦର ଅଫ୍ ଦି ନେସନ ବଙ୍ଗବନ୍ଧୁ ଶେଖ୍ ମୁଜିବୁର୍ ରହମନ’ ପୁସ୍ତକରେ ଲିପିବଦ୍ଧ ହୋଇଛି। ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ପ୍ରସଙ୍ଗରେ ଶେଖ୍ ହସିନା କହିଛନ୍ତି, ଆମେ ଆଞ୍ଚଳିକ ସହଯୋଗ ଉପରେ ବିଶ୍ୱାସ କରୁ। ବାଂଲାଦେଶର ବୈଦେଶିକ ନୀତି ‘ସମସ୍ତଙ୍କ ସହ ବନ୍ଧୁତ୍ୱ ଓ କାହା ପ୍ରତି ଶତ୍ରୁତା ନୁହେଁ’ ବୋଲି ଶେଖ୍ ହସିନା କହିଛନ୍ତି।