ଗିଲାନିଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ ପାଇଁ ପ୍ରସ୍ତାବ ଗୃହୀତ

ଇସଲାମବାଦ୍,ଏଜେନ୍ସି: ଜମ୍ମୁ-କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନିଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶାନ-ଇ-ପାକିସ୍ତାନ’ରେ ସମ୍ମାନିତ କରିବାକୁ ସିନେଟରେ ସୋମବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବ ଆଗତ ହୋଇଥିଲା। ଏହି ପ୍ରସ୍ତାବରେ ଗିଲାନିଙ୍କ ଜୀବନ କାହାଣୀକୁ ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି। ଏହା ବ୍ୟତୀତ ଇସଲାମବାଦରେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରେ ଥିବା ‘ପାକିସ୍ତାନ ୟୁନିଭରସିଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଏମର୍ଜିଙ୍ଗ ଟେକ୍ନୋଲୋଜି’କୁ ଗିଲାନିଙ୍କ ନାମରେ ନାମିତ କରାଯିବ। ୯୦ ବର୍ଷ ବୟସ୍କ ଗିଲାନି ଅସୁସ୍ଥ ଥିବା ସତ୍ତେ୍ୱ ତାଙ୍କୁ ବେଆଇନ ଭାବେ ଗୃହବନ୍ଦୀ କରି ରଖାଯାଇଥିବାରୁ ଏହାକୁ ନିନ୍ଦା କରାଯାଇଛି। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ପ୍ରଥମ ବର୍ଷ ପୂର୍ତ୍ତି ଅଗଷ୍ଟ ୫ରେ ପାକ ଅଧିକୃତ କଶ୍ମୀରର ମୁଖ୍ୟାଳୟ ମୁଜାଫରାବାଦର ବ୍ୟବସ୍ଥାପକ ସଭା ଅଧିବେଶନରେ ପାଳନ କରାଯିବା ଲାଗି ସିନେଟରେ ନିଷ୍ପତ୍ତି ହୋଇଛି। ଉଲ୍ଲେଖଯୋଗ୍ୟ ପାକ  ସମର୍ଥିତ ଏହି ବିଚ୍ଛିନ୍ନତାବାଦୀ ନେତା ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ ହେବା ପରେ ସେ ଗତ ଜୁନ ୨୯ରେ ଅଲ ପାର୍ଟି ହୁରିୟତ କନଫରେନ୍ସର ନେତାପଦରୁ ଇସ୍ତଫା ଦେଇଥିଲେ। ସେ ଏହି ଅବସରରେ ଏକ ଅଡିଓ ମେସେଜ ଜରିଆରେ ନିଜ ଇସ୍ତଫା ବିଷୟରେ ସୂଚନା ଦେଇଥିଲେ। ଏହି ବାର୍ତ୍ତାରେ ଗିଲାନି କହିଥିଲେ ଯେ ସେ ହୁରିୟତ କନଫରେନ୍ସରୁ ନିଜକୁ ଦୂରେଇ ରଖୁଛନ୍ତି। ହରିୟାତ କନଫରେନ୍ସର ଆଜୀବନ ସଦସ୍ୟ ଥିବା ୯୦ ବର୍ଷିୟ ଗିଲାନି ନିଜର ଇସ୍ତଫା ଦେବା ନେଇ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଅଲ ପାର୍ଟି ହୁରିୟାତ ସମ୍ମିଳନୀରୁ ଇସ୍ତଫା ଦେଉଛି।