ପାକିସ୍ତାନରେ ଟମାଟୋ କିଲୋ ପିଛା ୧୭୦

ନୂଆଦିଲ୍ଲୀ: ଭାରତ ପରେ ବର୍ତ୍ତମାନ ପଡ଼ୋଶୀ ଦେଶ ପାକିସ୍ତାନରେ ମହଙ୍ଗାଇ ଚରମ ସୀମାରେ ପହଞ୍ଚିଥିବାବେଳେ ଦୈନନ୍ଦିନର ଆବଶ୍ୟକୀୟ ସାମଗ୍ରୀ ମୂଲ୍ୟ କ୍ରମାଗତ ରୂପେ ବଢ଼ିଚାଲିଛି। ଦେଶରେ କେବଳ ଗୋଟିଏ ଦିନ ମଧ୍ୟରେ ଟମାଟୋ ମୂଲ୍ୟ ଆକାଶଛୁଅାଁ ସ୍ତରରେ ପହଞ୍ଚି କିଲୋପ୍ରତି ୧୭୦ ଟଙ୍କା ରହିଛି। ଟମାଟୋ ମୂଲ୍ୟରେ ଆହେତୁକ ବୃଦ୍ଧି ଯୋଗୁଁ ଦେଶବାସୀଙ୍କୁ ଅନେକ ସମସ୍ୟା ହେଉଥିବାବେଳେ ଗୃହିଣୀମାନେ ରୋଷେଇ ଘରେ ଟମାଟୋର ବିକଳ୍ପ ପ୍ରସଙ୍ଗରେ ବିଚାର କରିବା ଆରମ୍ଭ କରିଦେଇଛନ୍ତି।

ଟମାଟୋ ଦର ବଢ଼ିବା କାରଣରୁ ସ୍ଥାନୀୟ ଦୋକାନୀ ପାଇକାରୀ ବଜାରରୁ ଟମାଟୋ କିଣିବା ବନ୍ଦ କରିଦେଇଛନ୍ତି, ଯାହାଫଳରେ ବଜାରରେ ଟମାଟୋ’ର କୃତ୍ରିମ ଅଭାବ ସୃଷ୍ଟି ହୋଇଛି। ଅପରପକ୍ଷେ ବେଲୁଚିସ୍ତାନରୁ ଟମାଟୋ ଷ୍ଟକ୍ ସରିବାରେ ଲାଗିଛି ଏବଂ ଇରାନରୁ ଆସୁଥିବା ଟମାଟୋ ବର୍ତ୍ତମାନ ସୁଦ୍ଧା ପହଞ୍ଚିପାରି ନାହିଁ ବୋଲି କରାଚିରେ ପାଇକାରୀ ପନିପରିବା ବିକ୍ରେତା ସଙ୍ଘର ସଭାପତି ହାଜି ଶାହଜହାନ୍ କହିଛନ୍ତି।

କାବୁଲରୁ ଆସୁଥିବା ଟମାଟୋ ମଧ୍ୟ କୌଣସି କାରଣରୁ ଅଧାରେ ଅଟକି ରହିଛି। ସାଧାରଣତଃ ଅକ୍ଟୋବରରେ ଟମାଟୋ ଉତ୍ପାଦନ କରାଯାଏ, କିନ୍ତୁ ଚଳିତଥର ଏଥିରେ ବିଳମ୍ବ ହୋଇଛି। ତେଣୁ ମୂଲ୍ୟରେ ଅହେତୁକ ବୃଦ୍ଧି ପରିଲକ୍ଷିତ ହୋଇଛି। ତେବେ ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଷ୍ଟକ୍ରେ ସୁଧାର ଆସିବା ନେଇ ଅନୁମାନ କରାଯାଉଥିବା ସେ କହିଛନ୍ତି। ପାକିସ୍ତାନରେ ଟମାଟୋ’ର ଅଧିକାରିକ ମୂଲ୍ୟ କିଲୋପିଛା ୮୫ ଟଙ୍କା ରହିଛି। ତଥାପି ସିନ୍ଧ୍ ଏବଂ ପାକିସ୍ତାନ ସରକାର ମୂଲ୍ୟବୃଦ୍ଧି ଉପରେ ଲଗାମ୍ ଲଗାଇବାରେ ବିଫଳ ହୋଇଛନ୍ତି। ଟମାଟୋ ସମେତ ଅଟା, ଚିନି, ତେଲ ଏବଂ ଅନ୍ୟ ପନିପରିବା ଦର ମଧ୍ୟ ବୃଦ୍ଧି ପାଇଛି ବୋଲି ଲାହୋର’ର ଜଣେ ଗୃହିଣୀ କହିଛନ୍ତି।