ଧଳା ପତାକା ଦେଖାଇ ମୃତଦେହ ନେବାକୁ ଆସିଲା ପାକ୍‌ ସେନା

ଶ୍ରୀନଗର,ଏଜେନ୍ସି: ଗତ କିଛିଦିନ ହେବ ପାକିସ୍ତାନ ସେନା ଯୁଦ୍ଧ ବିରତିର ଉଲ୍ଲଂଘନ କରୁଥିବା ନେଇ ଜବାବରେ ଗତ ୧୦ତାରିଖ ଏବଂ ୧୧ତାରିଖରେ ଭାରତୀୟ ସେନା ଦୁଇ ଜଣପାକ୍‌ ସୈନିକଙ୍କୁ ମାରିଥିଲା। ଏହାପରେ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ହାଜିପୁର ଅଞ୍ଚଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ପାକିସ୍ତାନି ସୈନ୍ୟ ଧଳାପତାକା ଦେଖାଇ ନିଜ ଯବାନଙ୍କ ମୃତଦେବ ନେବାକୁ ଆସୁଛନ୍ତି। ଭାରତୀୟ ସେନାର କହିବା ଅନୁଯାୟୀ, ସେପ୍ଟେମ୍ବର ୧୦ତାରିଖରେ ହାଜିପୁର ସେକ୍ଟରରେ ପାକ୍‌ ସିପାହି ଗୁଲାମ ରସୁଲ୍ ଆମ ଯବାନଙ୍କ ଦ୍ୱାରା ନିହତ ହୋଇଥିଲା। ୧୧ତାରିଖରେ ଗୁଲାମର ମୃତଦେହ ନେବାକୁ ଚେଷ୍ଟା କରୁଥିବା ସମୟରେ ଅନ୍ୟ ଜଣେ ପାକ୍‌ ସୈନ୍ୟ ମଧ୍ୟ ଭାରତୀୟ ସେନା ଦ୍ୱାରା ନିହତ ହୋଇଥିଲା। ଏହାପରେ ୧୩ତାରିଖ ଅର୍ଥାତ୍ ଶୁକ୍ରବାର ପାକ୍‌ ସେନା ଧଳା ପତାକା ଦେଖାଇ ଗୁଲାମ ରସୁଲର ମୃତଦେହ ନେବାକୁ ଆସିଥିଲା। ଧଳା ପତାକାକୁ ସମ୍ମାନ ଜଣାଇ ଭାରତୀୟ ସେନା ମୃତଦେହ ନେବାକୁ ଅନୁମତି  ଦେଇଥିଲା।

ତେବେ ଗତ ଜୁଲାଇ ୩– ୩୧ ତାରିଖରେ ପିଓକେର କେରନ ସେକ୍ଟରରେ ଭାରତୀୟ ସେନା ଦ୍ୱାରା ନିହତ ହୋଇଥିବା ୭ଜଣ ପାକ୍ ସୈନ୍ୟ ଏବଂ ଆତଙ୍କବାଦୀଙ୍କ ମୃତଦେହ ଫେରାଇନେବାକୁ ମନା କରିଦେଇଥିଲା।