ପାକିସ୍ତାନକୁ ପାଣି ବନ୍ଦ କରାଯିବ : ମୋଦୀ

ଚରଖିଦାଦ୍ରି, ଏଜେନ୍ସି : ଦୀର୍ଘ ୭୦ ବର୍ଷ ଧରି ଭାରତରୁ ପାକିସ୍ତାନକୁ ପାଣି ବହିଯାଉଛି। ଭାରତର କୃଷକ ବିଶେଷକରି ହରିଆଣାର କୃଷକଙ୍କ ଏହି ପାଣି ଉପରେ ଅଧିକାର ଥିଲେ ମଧ୍ୟ ଏହାକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇ ନାହିଁ। ଏହାକୁ ରୋକିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିଆଣାର ଚରଖିଦାଦ୍ରିରେ ଏକ ନିର୍ବାଚନୀ ସଭାରେ କହିଛନ୍ତି। ସେ କହିଛନ୍ତି, ‘ହିନ୍ଦୁସ୍ଥାନ ଔର୍ ହରିଆଣାକେ କିଷାନକେ ହକ୍ କା ପାନି ୭୦ ସାଲତକ୍ ପାକିସ୍ତାନ ଯାତାରହା। ୟେ ମୋଦୀ ପାନିକୋ ରୁକେଗା ଔର୍ ଆପକେ ଘରତକ୍ ଲାୟେଗା। ଇସ୍ ପାନି ପର୍ ହକ୍ ହିନ୍ଦୁସ୍ଥାନକା ହୈ।’ ସେ ଆହୁରି କହିଛନ୍ତି, ସିନ୍ଧୁ ଚୁକ୍ତି ଅନୁସାରେ ଯେଉଁ ପାଣି ପାକିସ୍ତାନକୁ ଚାଲିଯାଉଛି, ଏହାକୁ ରୋକିବା ପାଇଁ ଏହି ଚୁକ୍ତିରେ ସଂଶୋଧନ କରିବା ଲାଗି ସେ ଉଦ୍ୟମ କରିବେ।

ହରିଆଣା ଓ ମହାରାଷ୍ଟ୍ରରେ ଆସନ୍ତା ୨୧ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଥିଲା ବେଳେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ହରିଆଣାରେ ନିର୍ବାଚନ ପ୍ରଚାର କରିଥିଲେ। ଏହି ଅବସରରେ ମୋଦୀ ମଙ୍ଗଳବାର ଚରଖିଦାଦ୍ରିରେ ଆହୁରି କହିଛନ୍ତି, ଭାରତ ପ୍ରଗତି ପଥରେ ଆଗେଇ ଚାଲିଛି। ଇତିମଧ୍ୟରେ ତାଙ୍କ ସରକାର ଜାତୀୟ ସ୍ୱାର୍ଥସମ୍ବଳିତ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ମୋଦୀ ମଙ୍ଗଳବାର ରାଜ୍ୟର ଥାନେଶ୍ୱରରେ ମଧ୍ୟ ଅନ୍ୟ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇଥିଲେ। ମହାରାଷ୍ଟ୍ରରେ ମଧ୍ୟ ପ୍ରଚାର ଜୋରଦାର ଚାଲିଛି। ରାଜ୍ୟ ବିଜେପି ପକ୍ଷରୁ ଦଳୀୟ ଇସ୍ତାହାର ‘ସଙ୍କଳ୍ପପତ୍ର’ ଘୋଷଣା କରାଯାଇଛି। ରାଜ୍ୟରେ ଏକ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ ବୋଲି ଦଳ ପକ୍ଷରୁ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି। ଇସ୍ତାହାର ପ୍ରକାଶ କରାଯିବା ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିଶ୍ କହିଛନ୍ତି, ନିର୍ବାଚନ ପରେ ଦଳ ପିଏମସି ବ୍ୟାଙ୍କ୍ ପ୍ରସଙ୍ଗ କେନ୍ଦ୍ରର ଦୃଷ୍ଟିକୁ ଆଣିବ।